ଅନୁପ ସାଏଙ୍କୁ ବଡ଼ ଆଶ୍ୱସ୍ତି: ତଳ କୋର୍ଟର ଦଣ୍ଡାଦେଶକୁ ହାଇକୋର୍ଟରେ ସ୍ଥଗିତାଦେଶ

ଝାରସୁଗୁଡ଼ା ଅଫିସ,୭।୧୧: ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲି ଦାଶ ହତ୍ୟା ମାମଲାରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତଳ କୋର୍ଟର ସମସ୍ତ ଦଣ୍ଡାଦେଶ ଉପରେ ଛତିଶଗଡ଼ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ହାଇକୋର୍ଟରେ କ୍ରିମିନାଲ ଅପିଲ ମାମଲା ଶେଷ ଯାଏ ଏହି ଆଦେଶ ବଳବତ୍ତର ରହିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା କୋର୍ଟ ଅର୍ଡରରେ କୁହାଯାଇଛି। ଏପରି କି ୧ ଲକ୍ଷ ଟଙ୍କା ଓ ଜଣେ ଜମିନଦାରଙ୍କ ମାଧ୍ୟମରେ ଡିସେମ୍ବର ୨୦ ମଧ୍ୟରେ ସେ ଜାମିନରେ ବାହାରିବେ ବୋଲି କୋର୍ଟ ରାୟରେ ଉଲ୍ଲେଖ ରହିଛି। ଏପରିକି ତଳ କୋର୍ଟର ଧାର୍ଯ୍ୟ ସମସ୍ତ ତାରିଖରେ ତାଙ୍କୁ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଛତିଶଗଡ଼ ହାଇକୋର୍ଟ ମାମଲାର ବିଚାରକରି ଗତ ଗୁରୁବାର ତାଙ୍କୁ ଜାମିନ ପ୍ରଦାନ କରିଥିବା ସହ ଉପରୋକ୍ତ ନିର୍ଦ୍ଦେଶ ଦେଇଥିବା ତାଙ୍କ ଓକିଲ ସମରର୍ଥ ସିଂହ ମାରହାସ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ କଳ୍ପନା ଓ ବବ୍‌ଲି ହତ୍ୟାକାଣ୍ଡକୁ ନେଇ ଛତିଶଗଡ଼ ଚକ୍ରଧରନଗର ଥାନାରେ ହତ୍ୟା ମାମଲା (ନଂ.୧୫୮/୧୬) ରୁଜୁ ହୋଇଥିଲା। ଏହାର ତଦନ୍ତକରି ଦୀର୍ଘ ୪ବର୍ଷ ପରେ ୨୦୨୦ ଫେବୃୟାରୀ ୧୩ରେ ପୂର୍ବତନ ବିଧାୟକ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଚକ୍ରଧରନଗର ପୋଲିସ୍‌ ଗିରଫ କରିଥିଲା। ଗିରଫ ପରେ ଉଭୟଙ୍କୁ ରାୟଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଥିଲା । ରାୟଗଡ଼ ଜିଲା କୋର୍ଟରେ ଏହାର ବିଚାର ଚାଲିଥିଲା । ବିଚାର ପରେ ଉଭୟଙ୍କ ମଧ୍ୟରୁ ଡ୍ରାଇଭର ଟପ୍ପୋଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଦେଇଥିଲେ । କୋର୍ଟରେ ବିଧାୟକ ସାଏଙ୍କ ବିଚାର ଚାଲିଥିବା ବେଳେ ଗତ ଏପ୍ରିଲ ୨ରେ ଜିଲା ଦୌରାଜଜ୍‌ ତାଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହାକୁ ନେଇ ସାଏ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।