ହାଇକୋର୍ଟ ଷ୍ଟେନୋ ଚାକିରି ଦେବୀ ନାଁରେ ଠକେଇ: ସିଏମ୍‌ସି ଅସ୍ଥାୟୀ ପିଅନ ଗିରଫ

କଟକ ଅଫିସ,୨୨ା୫: ହାଇକୋର୍ଟରେ ଷ୍ଟେନୋ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଛି। ଏହି ଘଟଣାରେ ଲାଲ୍‌ବାଗ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେ ହେଲେ ବାଙ୍କୀ ଥାନା ଅନ୍ତର୍ଗତ କରବର ଅଞ୍ଚଳର ଅଭିନ୍ନ ବାରିକ(୫୦)।
ଅଭିଯୋଗ ଅନୁଯାୟୀ, ଅଭିନ୍ନ କଟକ ମହାନଗର ନିଗମ(ସିଏମ୍‌ସି)ରେ ଅସ୍ଥାୟୀ ପିଅନ ଭାବେ ୧୯୯୪ରୁ କାର୍ଯ୍ୟ କରିଆସୁଛନ୍ତି। ସେ ବଡ଼ମ୍ବା ଥାନା ଅନ୍ତର୍ଗତ ରଗଡିପଡ଼ାର ରବୀନ୍ଦ୍ର କୁମାର ସାହୁଙ୍କ ନିକଟରେ ନିଜକୁ ଓଡ଼ିଶା ହାଇକୋର୍ଟର ଷ୍ଟେନୋ ବୋଲି ପରିଚୟ ଦେଇ ବିଶ୍ୱାସ ଜନ୍ମାଇଥିଲେ। ରବୀନ୍ଦ୍ରଙ୍କ ପୁଅକୁ ହାଇକୋର୍ଟରେ ଷ୍ଟେନୋ ଚାକିରି କରାଇ ଦେବାକୁ ଅଭିନ୍ନ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ରବୀନ୍ଦ୍ରଙ୍କଠାରୁ ବିଭିନ୍ନ ସମୟରେ ମୋଟ ୧ ଲକ୍ଷ ୧୫ ହଜାର ଟଙ୍କା ନେଇଥିଲେ। ପରବର୍ତ୍ତୀ ସମୟରେ ସେ କୌଣସି ଚାକିରି କରାଇ ନ ପାରିବାରୁ ରବୀନ୍ଦ୍ର ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏଥିସହ ଅଭିନ୍ନ ହାଇକୋର୍ଟରେ ଚାକିରି କରିନାହାନ୍ତି ବରଂ ସିଏମ୍‌ସିର ଜଣେ ଅସ୍ଥାୟୀ ପିଅନ ବୋଲି ରବୀନ୍ଦ୍ର ଜାଣିବା ପରେ ତାଙ୍କୁ ଟଙ୍କା ଫେରାଇବା ପାଇଁ କହିଥିଲେ। ହେଲେ ସେ ଟଙ୍କା ଫେରାଇବା ବଦଳରେ ଏକ ନିର୍ଦ୍ଦିଷ୍ଟ ସମୟରେ ଟଙ୍କା ଫେରାଇବା ପାଇଁ ବଣ୍ଡ୍‌ ପେପରରେ ଦସ୍ତଖତ କରି ରବୀନ୍ଦ୍ରକୁ ଦେଇଥିଲେ। ମାତ୍ର ଏହି ବଣ୍ଡ୍‌ରେ ସେ ନିଜ ନାମ ଅଭିନ୍ନ ନଲେଖି ଅଭିନ୍ନମନୁ ବୋଲି ଦସ୍ତଖତ କରି ରବୀନ୍ଦ୍ରଙ୍କୁ ଦେଇଥିଲେ। ଏହାପରେ ବି ସେ ଟଙ୍କା ଦେବା ପାଇଁ ସମୟ ଗଡ଼ାଇ ଚାଲିଲେ ଏବଂ ରବୀନ୍ଦ୍ରଙ୍କଠାରୁ ନିଜକୁ ଲୁଚାଇ ରଖିଲେ। ଏ ନେଇ ରବୀନ୍ଦ୍ର ଲାଲବାଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୬୪/୨୩) ରୁଜୁ କରିଥିଲା।