Categories: ଜାତୀୟ

ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ହାଇଦ୍ରାବାଦ, ୧୩ା୧୦: ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଦେଇଥିବା ରାୟକୁ ସୋସିଆଲ ମିଡିଆରେ ଭୁଲ୍‌ ଭାବେ ଦର୍ଶାଇ ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦିଆଯିବା ପରେ ସୋମବାର ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ବିଚାରପତିଙ୍କ ମାନହାନି ହେବା ଘଟଣାରେ ମାମଲା ରୁଜୁ କରିବାକୁ ହାଇକୋର୍ଟ ସିବିଆଇକୁ କହିଛନ୍ତି। ଏନେଇ କୋର୍ଟ ଶାସକ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ୪୯ ନେତା ଓ କର୍ମକର୍ତ୍ତାଙ୍କୁ ନୋଟିସ ଜାରି କରିଛନ୍ତି।
ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ୪ ବିଚାରପତି ରାଜ୍ୟର ନିର୍ବାଚିତ ସରକାରଙ୍କ ବିରୋଧରେ ଯାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜଗନମୋହନ୍‌ ରେଡ୍ଡୀ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌.ଏ. ବୋବ୍‌ଡେଙ୍କୁ ୧୬ ପୃଷ୍ଠା ସମ୍ବଳିତ ପତ୍ର ଲେଖି ଅଭିଯୋଗ କରିଥିଲେ। ଏପରି କି ତାଙ୍କ ସରକାରକୁ ହଟାଇବା ଲାଗି ଷଡ଼ଯନ୍ତ୍ର ଚାଲିଛି, ଏଥିରେ ସୁପ୍ରିମକୋର୍ଟ ବିଚାରପତି ଏନ୍‌. ଭି. ରମନ୍ନା ସାମିଲ ଥିବା ଜଗନ୍‌ମୋହନ୍‌ ଦର୍ଶାଇଥିଲେ। ବିରୋଧୀ ଦଳ ନେତା ତଥା ଟିଡିପି ଅଧ୍ୟକ୍ଷ ଚନ୍ଦ୍ରାବାବୁଙ୍କୁ ଜଷ୍ଟିସ ରମନ୍ନା ସହଯୋଗ କରୁଥିବା ନେଇ ସେ ଅଭିଯୋଗ କରିଥିଲେ। ତେବେ ସିବିଆଇକୁ ସହଯୋଗ କରିବା ଲାଗି ହାଇକୋର୍ଟ ସରକାରଙ୍କୁ କହିଛନ୍ତି। କୋର୍ଟ ରାୟକୁ ବିରୋଧ କରି ସୋସିଆଲ ମିଡିଆରେ ବିଚାରପତିଙ୍କ କୁତ୍ସାରଟନା କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି।

Share