Categories: ଜାତୀୟ

ହିନ୍ଦୁ ଦେବୀଦେବତାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଲୋକଙ୍କ ଆକାଉଣ୍ଟ୍‌କୁ ବ୍ଲକ୍‌ କରିବାକୁ କହିଲେ ହାଇକୋର୍ଟ…

ନୂଆଦିଲ୍ଲୀ, ୨୯।୩ : ଦିଲ୍ଲୀ ହାଇକୋର୍ଟ ଟୁଇଟରକୁ କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିବାଦୀୟ ମନ୍ତବ୍ୟ ଦେଉଥିବା ଲୋକଙ୍କ ଆକାଉଣ୍ଟ୍‌କୁ ବ୍ଲକ୍‌ କରିବା ଉଚିତ। ଏହି ପ୍ରସଙ୍ଗରେ ନୀତିଗୁଡିକର ସୁଧାର କରିବାର ଆବଶ୍ୟକତା ଅଛି। ଦେବୀଦେବତାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଦିଲ୍ଲୀ ହାଇକୋର୍ଟ ଟୁଇଟରକୁ ତାଗିଦ୍‌ କରିଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶ ବିନା ଏହା କୌଣସି ବ୍ୟକ୍ତିଙ୍କ ଆକାଉଣ୍ଟକୁ ଅବରୋଧ କରେ ନାହିଁ ବୋଲି ଟୁଇଟର କହିଛି। ଏହା ଉପରେ ହାଇକୋର୍ଟ କହିଛନ୍ତି, ଯଦି ଏପରି ହୁଏ ତେବେ ଡୋନାଲ୍ଡ ଟ୍ରମ୍ପଙ୍କୁ କାହିଁକି ବ୍ଲକ୍‌ କରାଯାଇଥିଲା। କାର୍ଯ୍ୟରତ ପ୍ରଧାନ ବିଚାରପତି ଭିପିନ ସାଙ୍ଗି ଏବଂ ଜଷ୍ଟିସ ନବୀନ ଚାୱଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଟୁଇଟରର କାର୍ଯ୍ୟକଳାପ ସମ୍ପର୍କରେ ପ୍ରଶ୍ନ ପଚାରିଛନ୍ତି। ଅଦାଲତ କହିଛନ୍ତି ଯେ ଦୁନିଆର ଅନେକ ସ୍ଥାନରେ ଏଭଳି ସମ୍ବେଦନଶୀଳ ବିଷୟବସ୍ତୁ ପୋଷ୍ଟ କରାଯାଇଛି। ଟୁଇଟର୍‌ ଏଗୁଡିକ ଉପରେ ଅଧିକ ସଚେତନ ହେବା ଉଚିତ୍‌।

କୋର୍ଟ ଏକ ପିଟିଶନର ଶୁଣାଣି କରିଥିଲେ। ଏହି ଆବେଦନରେ କୁହାଯାଇଥିଲା ଯେ ’ଇଥିଷ୍ଟରପବ୍ଲିକ’ ନାମକ ଏକ ଟୁଇଟର ହ୍ୟାଣ୍ଡେଲ ମା କାଳୀ ଏବଂ ଅନ୍ୟ ହିନ୍ଦୁ ଦେବତାଙ୍କୁ ପରିହାସ କରିଛି ଏବଂ ଆପତ୍ତିଜନକ ମନ୍ତବ୍ୟ ଦେଇଛି। ଏହିପରି ଆକାଉଣ୍ଟକୁ ନିଷିଦ୍ଧ କରିବାକୁ ଟୁଇଟର ଏକ ଏସ୍ପିଓ ଜାରି କରିବା ପାଇଁ ଆବେଦନରେ ଉଲ୍ଲେଖ କରାଯାଇଥିଲା।

ଟୁଇଟର କହିଛି ଯେ ଏହି ବିବାଦୀୟ ସାମଗ୍ରୀକୁ ହଟାଇ ଦିଆଯାଇଛି ଏବଂ ଏକ ଏଫଆଇଆର ମଧ୍ୟ ପଞ୍ଜିକୃତ ହୋଇଛି । ଟୁୁଇଟର ପକ୍ଷରୁ ଆଇନଜୀବୀ କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ବିନା କାହା ବିରୋଧରେ ଆସିଥିବା ଅଭିଯୋଗକୁ ଦେଖି ତାଙ୍କ ଅକାଉଣ୍ଟ୍‌କୁ ବ୍ଲକ୍‌ କରାଯାଇ ପାରିବ ନାହିଁ। ଅଦାଲତ କହିଛନ୍ତି ଯେ ଏଭଳି ଅଭିଯୋଗ ବାରମ୍ବାର ଆସୁଛି। ଏପରି ପରିସ୍ଥିତିରେ ଟୁଇଟର ସୋସିଆଲ ମିଡିଆ ବିଷୟବସ୍ତୁ ଉପରେ ନଜର ରଖିବା ଉଚିତ।

Share