ଉଚ୍ଚ ରକ୍ତଚାପରେ ପୀଡ଼ିତ କି? ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ..

ଆଜିକାଲି ମଧୁମେହ, ରକ୍ତଚାପ ଜନିତ ସମସ୍ୟା ସାଧାରଣ କଥା ପାଲଟିଲାଣି। ହେଲେ ଏହା ସ୍ବାସ୍ଥ୍ୟ ପ୍ରତି ହାନିକାରକ। ସାରା ଜୀବନ ଏହା ପିଛା ଛାଡ଼ି ନ ଥାଏ। କାମ ଚିନ୍ତା, ଖରାପ ଜୀବନଚର୍ଯ୍ୟା ଏବଂ ଖାଇବାର ଭୁଲ ଅଭ୍ୟାସ ଯୋଗୁ ଏହି ରୋଗ ହୋଇଥାଏ। ଏଣୁ ଯଦି କେହି ଉଚ୍ଚ ରକ୍ତଚାପରେ ପୀଡ଼ିତ, ତାଙ୍କୁ ନିଜର ଖାଦ୍ୟପେୟ ପରିବର୍ତ୍ତନ କରିବା ଉଚିତ। କାରଣ ଏହା ବୃଦ୍ଧି ହେଲେ ହୃଦ୍‌ରୋଗ, ହୃଦଘାତ ଭଳି ଅନେକ ମାରାତ୍ମକ ରୋଗର କାରଣ ପାଲଟେ। ଏଣୁ ଜାଣି ରଖନ୍ତୁ ଉଚ୍ଚ ରକ୍ତଚାପ ରୋଗୀଙ୍କ ଡାଏଟ୍‌ରେ କ’ଣ ଖାଇବା ଉଚିତ ଆଉ କ’ଣ ନୁହେଁ..

-ଅଣ୍ଡାର ହଳଦିଆ ଅଂଶ(କେଶର) ଖାଆନ୍ତୁ ନାହିଁ:
ଉଚ୍ଚ ରକ୍ତଚାପରେ ପୀଡ଼ିତ ରୋଗୀ ଭୁଲ୍‌ରେ ମଧ୍ୟ ଅଣ୍ଡାର ହଳଦିଆ ଅଂଶକୁ ଖାଆନ୍ତୁ ନାହିଁ। କାରଣ ଏଥିରେ ଅଧିକ ମାତ୍ରାରେ କୋଲେଷ୍ଟରଲ ଥାଏ। ଏହା ରକ୍ତଚାପ ରୋଗୀଙ୍କ ପାଇଁ ଭଲ ନୁହେଁ। ଏହାଦ୍ୱାରା ରକ୍ତଚାପ ବଢ଼ିବା ସହ ଓଜନ ମଧ୍ୟ ବୃଦ୍ଧି ପାଇଥାଏ। ଫଳରେ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଉପୁଜିପାରେ।

-କଫି ପିଅନ୍ତୁ ନାହିଁ:
କଫିରେ ଥିବା କୈଫିନ୍‌ ଧିରେ ଧିରେ ରକ୍ତଚାପ ବଢ଼ାଇଥାଏ। ଏଣୁ ପ୍ରତ୍ୟେହ କଫି ପିଇବା ଦ୍ୱାରା ନକରାତ୍ମକ ପ୍ରଭାବ ପଡ଼ିଥାଏ।

-ମାଂସ ଏବଂ ଚିକେନ୍‌ ଖାଆନ୍ତୁ ନାହିଁ:
ଚିକେନ୍‌ରେ ଚର୍ବି କମ୍‌ ଥାଏ। ହେଲେ ଏହାକୁ ରୋଷେଇ କରିବା ପରେ ଏଥିରେ କୋଲେଷ୍ଟରଲ ଏବଂ ଫ୍ୟାଟ୍‌ର ମାତ୍ରା ବଢ଼ିଯାଇଥାଏ। ଏହା ଉଚ୍ଚ ରକ୍ତଚାପରେ ପୀଡ଼ିତ ରୋଗୀଙ୍କ ପାଇଁ କ୍ଷତିକାରକ। ସେହିଭଳି ମାଂସ(ମଟନ୍‌)ରେ ଫ୍ୟାଟ୍‌ର ପରିମାଣ ଅଧିକ ଥାଏ। ଏଣୁ ରୋଗୀମାନେ ଏହାକୁ ବେଶି ନ ଖାଇବାକୁ ଚେଷ୍ଟା କରନ୍ତୁ।

– ଅଧିକ ଲୁଣ ଖାଆନ୍ତୁ ନାହିଁ:
ଉଚ୍ଚ ରକ୍ତଚାପରେ ପୀଡ଼ିତ ରୋଗୀ ଅଧିକ ଲୁଣ ଖାଇବା ଉଚିତ ନୁହେଁ। ଏପରିକି ଖାଉଥିବା ଖାଦ୍ୟରେ ମଧ୍ୟ ପୋଟାସିୟମ ଭାଗ ଅଧିକ ଏବଂ ସୋଡିୟମ ମାତ୍ରା କମ୍‌ ରଖିବାକୁ ଚେଷ୍ଟା କରନ୍ତୁ। ଏହାଛଡ଼ା ଆଚାର ମଧ୍ୟ ଖାଆନ୍ତୁ ନାହିଁ। କାରଣ ଏଥିରେ ଲୁଣ ଅଧିକ ଥାଏ।

କ’ଣ ଖାଇବେ?
– ପାଳଙ୍ଗ, କୋବି, ବଥୁଆ ଶାଗ ଖାଆନ୍ତୁ।
-ବାଦାମ, ଜୁଆଁଣି, ଅଦା ଖାଆନ୍ତୁ।
-ଅଙ୍ଗୁର, ଡାଳିମ୍ବ, ଅମୃତଭଣ୍ଡା, ସେଉ, କମଳା,ସପୁରୀ ଖାଆନ୍ତୁ।
-ଦିନରେ ଅତି କମ୍‌ରେ ୧୦ ରୁ ୧୨ ଗ୍ଲାସ ପାଣି ପିଅନ୍ତୁ।