Categories: ଜାତୀୟ

ଦେଶରେ ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ, ୨୩।୯: ଆଗକୁ ପାର୍ବଣ ଋତୁ ଥିବାରୁ ଜନଗହଳି ସ୍ଥାନରେ ଟିଫିନ୍‌ ବକ୍ସରେ ଆଇଇଡି ରଖି ବିସ୍ଫୋରଣ କରାଇବାକୁ ଆଇଏସ୍‌ଆଇ ଯୋଜନା କରିଛି। ଏଥି ଲାଗି ଅଧିକ ସଂଖ୍ୟାରେ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିପାରନ୍ତି। ଦେଶର ଗୋଇନ୍ଦା ବିଭାଗ ପକ୍ଷରୁ ଏଭଳି ସୂଚନା ପାଇବା ପରେ ପୂରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି।

ଗତ ସପ୍ତାହରେ ବିଭିନ୍ନ ରାଜ୍ୟରୁ ୬ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍‌। ଆତଙ୍କବାଦୀଙ୍କ ମଧ୍ୟରେ ଦୁଇ ଜଣ ପାକିସ୍ତାନରେ ଟ୍ରେନିଂ ନେଇଥିଲେ। ସେମାନେ ନବରାତ୍ରି ଓ ରାମଲୀଲାରେ ଆକ୍ରମଣ ପାଇଁ ଯୋଜନା ଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ। ଗିରଫ ଆତଙ୍କବାଦୀ ହେଲେ ଜାନ୍‌ ମହମ୍ମଦ ଶେଖ୍‌ ଓରଫ ସମୀର, ଓସାମା, ମୁଲଚାନ୍ଦ, ଜିଶନ କମର, ମହମ୍ମଦ ଅବୁ ବାକର ଏବଂ ମହମ୍ମଦ ଅମିର ଜାଭେଦ। ଓସାମା ଏବଂ କମର ପାକିସ୍ତାନ ଯାଇ ଆଇଏସ୍‌ଆଇ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ। ସେମାନେ ବିସ୍ଫୋରକ ଏବଂ ଏକେ-୪୭ ବ୍ୟବହାର ନେଇ ତାଲିମ ପାଇଛନ୍ତି।

Share