ଉପକୂଳରେ ହାଇଆଲର୍ଟ

ଭୋଗରାଇ, ୧୦।୫(ଡି.ଏନ.ଏ.) ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ଅସାନି ଭୀଷଣ ବାତ୍ୟାରେ ପରିଣତ ହେବା ପରେ କୂଳବାସୀ ଭୟଭୀତ ହୋଇପଡିଛନ୍ତି l ତେବେ ଏହି ବାତ୍ୟା ବାଲେଶ୍ୱର ଉପକୂଳରେ ବିଶେଷ ଭାବେ ପ୍ରଭାବ ପକାଇବ ବୋଲି ପାଣିପାଗ ବୈଜ୍ଞାନିକମାନେ ପୂର୍ବାନୁମାନ କରିଥିଲେ। ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଘନ ଘନ ସୂଚନା ଦିଆଯାଉଛି। ଏଭଳି ସ୍ଥିତିରେ ଜିଲା ପ୍ରଶାସନ ସମସ୍ତ ଉପକୂଳରେ କଡା ସତର୍କତା ଜାରି କରିଛନ୍ତି। ଦରକାର ପଡିଲେ ଉପକୂଳରେ ଥିବା ତଳିଆ ଅଞ୍ଚଳର ବାସିନ୍ଦାକୁ ବାତ୍ୟାଶ୍ରୟସ୍ଥଳୀ ଓ ସ୍କୁଲଗୃହକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ବାତ୍ୟା ମୁକାବିଲା ନିମନ୍ତେ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପାଚିଲା ଧାନ, ତୈଳବୀଜ ଓ ପନିପରିବା ଚାଷ ଜମିରେ ଅବିଳମ୍ବେ ପାଣି ନିଷ୍କାସନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଭୟ ଯୋଗୁ ରବି ପାଚିଲା ଧାନକ୍ଷେତରୁ କୃଷକମାନେ ତରବରିଆ ଭାବେ ଧାନ ଅମଳ କରୁଥିବା ନଜରକୁ ଆସିଛି। ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଏବଂ ବସ୍ତା ଅଞ୍ଚଳର ପ୍ରାୟ ନବେ ଶତାଂଶ ଧାନକଟା ଅମଳ ହୋଇଥିବା କୃଷି ବିଭାଗ ସୂଚନା ଦେଇଛନ୍ତି l ଅପରପକ୍ଷରେ ସାମୁଦ୍ରିକ ଝଡ ସମୁଦ୍ରରେ ବଳ ଗୋଟାଇ ଅଧିକ ଶକ୍ତିଶାଳୀ ହେଉଥିବାରୁ ସମୁଦ୍ର ଉତ୍ତାଳ ହୋଇଛି। ବାଲେଶ୍ୱର ଉପକୂଳ ସମେତ ପଶ୍ଚିମବଙ୍ଗ ପୂର୍ବ ଓ ପଶ୍ଚିମ ମେଦିନୀପୁର ଦକ୍ଷିଣ ୨୪ ପ୍ରଗଣା ଜିଲା ସମସ୍ତ ସମୁଦ୍ରକୂଳ ମତ୍ସ୍ୟ ଅବତରଣ କେନ୍ଦ୍ର ଏବଂ ପର୍ଯ୍ୟଟନ ସ୍ଥଳରେ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି l ୧୦ରୁ ୧୨ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ମତ୍ସଜୀବୀ ଓ ପର୍ଯ୍ୟଟକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଉଛି। ସମୁଦ୍ର ଅଶାନ୍ତ ଥିବା ବେଳେ ଦୀଘା ଉପକୂଳ ମନ୍ଦାରମଣି ବେଳାଭୂମିରେ ଗାଧୋଉଥିବା ବେଳେ ଦୁଇ ପର୍ଯ୍ୟଟକ ଭାସିଯାଇ ପ୍ରାଣ ହରାଇଛନ୍ତି। ମୃତକଦ୍ୱୟ ହେଲେ କୋଲକାତା ବାଲିଗଞ୍ଜ ଅଞ୍ଚଳର ସରଫରାଜ୍‌ ଓ ଝାଡଖଣ୍ଡ ରାଜ୍ୟର ସୃଷ୍ଟି ଗୁପ୍ତା।