ଘରେ ଲୁଚାଇ ରଖିଥିଲେ ୧ କୁଇଣ୍ଟାଲ ୬୭ କେଜି ଗଞ୍ଜେଇ

କୋକସରା,୧୧।୩(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମାଝିଗୁଡା ପଞ୍ଚାୟତ ଦାବ୍ରିଗୁଡାରେ ଜିଲା ଅବକାରୀ ବିଭାଗର ଏକ ଟିମ୍‌ ଚଢ଼ାଉ କରି ୪ଜଣଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଧର୍ମଗଡ ଅବକାରୀ ଅଧିକାରୀ ଲଳିତ ମୋହନ ମିଶ୍ର ସୂଚନା ଦେଇଛନ୍ତି। ଦାବ୍ରିଗୁଡା ଗ୍ରାମର କାର୍ତ୍ତିକ ନାଏକ, ସଦାନନ୍ଦ ନାଏକ, ପଦ୍ମଲୋଚନ ନାଏକ ଓ ଜଣେ ମହିଳାଙ୍କ ଘରେ ଅବକାରୀ କର୍ମଚାରୀ ଚଢ଼ାଉ କରି ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରିଥିଲେ। ଅବକାରୀ ଟିମ୍‌ ୪ଜଣଙ୍କୁ ଗିରଫ କରି ଭବାନୀପାଟଣା ଅବକାରୀ କାର୍ଯ୍ୟାଳୟରେ ଅଟକ ରଖି ତଦନ୍ତ ଚଳାଇଥିଲା। ଜବତ ଗଞ୍ଜେଇ ଓଜନ କରିବା ପରେ ୧ କୁଇଣ୍ଟାଲ ୬୭ କେଜି ୫୪୦ ଗ୍ରାମ ହୋଇଥିବା ଜଣାପଡିଛି। ଜିଲା ଅବକାରୀ ସୁପରିଟେଣ୍ଡେଣ୍ଟ ଦଣ୍ଡପାଣି ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉରେ ସବ୍‌ଇନ୍ସପେକ୍ଟର ଲଳିତ ମୋହନ ମିଶ୍ର, ସୁଶାନ୍ତ ପ୍ରଧାନ, ଅଜୟ କୁମାର ନାଏକ, ବସନ୍ତ ବିଶି ପ୍ରମୁଖ ସାମିଲ ଥିଲେ।