ଦୋଷ ଘୋଡ଼ାଇ ଲୋଭ ଦେଖାଇଲା ହେକ୍ସି

ଭୁବନେଶ୍ୱର, ୨୫।୭ (ବ୍ୟୁରୋ): ୨୫ହଜାର ଟଙ୍କା ମୂଲ୍ୟର ସାଇକେଲ ୫ଶହ ଟଙ୍କାରେ ବିକ୍ରି ହେଲା। କବାଡ଼ିବାଲା ଗ୍ୟାସ୍‌ କଟରରେ କାଟି ନେଲେ। ଭୁବନେଶ୍ୱରରେ ‘ମୋ ସାଇକେଲ’ ଯୋଜନାର ଏଭଳି ସ୍ଥିତିକୁ ନେଇ ଗଣମାଧ୍ୟମରେ ସଚିତ୍ର ଖବର ପ୍ରକାଶ ପାଇଲା। ହେଲେ ବିବାଦ ମୁଣ୍ଡାଇବାକୁ ଏବେ କେହି ରାଜି ନୁହନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ସବୁ ଦୋଷ ସାଇକେଲ ଯୋଗାଇଥିବା ହେକ୍ସି କମ୍ପାନୀ ଉପରେ ଲଦିଲେ।

ଇତିମଧ୍ୟରେ ଥାନାରେ ମାମଲା ରହିଥିବାବେଳେ ଏବେ ଦୋଷ ଘୋଡାଇ ବିଏସ୍‌ସିଏଲ୍‌ ନୂଆ ସାଇକେଲ ଯୋଗାଇବାକୁ ଲୋଭ ଦେଖାଇବା ପରେ ଭିତିରି ଆପୋସ ବୁଝାମଣା ହୋଇଥିବା ସୂଚନା ମିଳିଛି। ହେକ୍ସି କମ୍ପାନୀର ଅଧିକାରୀ ବିକାଶ ସିଂ ଭୁବନେଶ୍ୱର ଆସି ବିଏସ୍‌ସିଏଲ୍‌ ଓ ଥାନାରେ ହାଜର ହୋଇଛନ୍ତି। ଯେଉଁ ୩ଶହ ସାଇକେଲ କବାଡ଼ିଆଙ୍କୁ ବିକ୍ରି ହୋଇଛି, ତାହା ବିଏସ୍‌ସିଏଲ୍‌କୁ ଦିଆଯାଇଥିବା ୧ହଜାର ସାଇକେଲ ମଧ୍ୟରୁ ନୁହେଁ, ଏହା ଅତିରିକ୍ତ ଥିଲା ବୋଲି ବିଶାଲ ପୋଲିସ ଆଗରେ କହିଛନ୍ତି। ସେହିଭଳି ଏ ବାବଦକୁ ଆଉ ୩ଶହ ସାଇକେଲ ବିଏସ୍‌ସିଏଲ୍‌କୁ ପ୍ରଦାନ କରାଯିବ। ଆସନ୍ତା ସୋମବାର ଆବଶ୍ୟକ କାଗଜପତ୍ର ହେଡ୍‌ ଅଫିସ୍‌ ଦିଲ୍ଲୀକୁ ପଠାଯିବା ପରେ ସାଇକେଲ ଆସିବ ବୋଲି ବିକାଶ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା କରିଛନ୍ତି। ଅପରପକ୍ଷେ ଘଟଣା ପରଠୁ ବିଏସ୍‌ସିଏଲ୍‌ ପକ୍ଷରୁ ନିୟୋଜିତ ଟିମ୍‌ ସହରର ବିଭିନ୍ନ ସ୍ଥାନ ବୁଲି ହେକ୍ସି କମ୍ପାନୀର ୭ଶହ ସାଇକେଲ ଖୋଜି ପାଇଛନ୍ତି। ବାକି ୩ଶହ ସାଇକେଲ ହଜିଥିବା କିମ୍ବା ଚୋରି ହୋଇଥିବା ସଫେଇ ଦିଆଯାଉଛି। ଚୁକ୍ତି ଅନୁଯାୟୀ କମ୍ପାନୀ ପକ୍ଷରୁ ଚଳନ୍ତା ଅବସ୍ଥାରେ ସମ୍ପୂର୍ଣ୍ଣ ୧ହଜାର ସାଇକେଲ ନ ପାଇବା ପର୍ଯ୍ୟନ୍ତ ମାମଲା ବଳବତ୍ତର ରହିବ ବୋଲି ବିଏସ୍‌ସିଏଲ୍‌ର ମହାପ୍ରବନ୍ଧକ କମଲ୍‌ଜିତ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଇକେଲ ମିଳିବା ପରେ ଆଗକୁ କମ୍ପାନୀ ସହ ବିଏସ୍‌ସିଏଲ୍‌ର କାରବାର ଚାଲିବ କିମ୍ବା ଚୁକ୍ତିନାମା ଖାରଜ କରାଯିବ ସେ ନେଇ ବୋର୍ଡ ଅଫ୍‌ ଡାଇରେକ୍ଟର ନିଷ୍ପତ୍ତି ନିଆଯିବ। ତେବେ ହେକ୍ସି କମ୍ପାନୀ ଅଧିକାରୀ ଓ ବିଏସ୍‌ସିଏଲ୍‌ କଥାରେ ତାଳମେଳ ରହୁ ନ ଥିବାରୁ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି। ହେକ୍ସି କମ୍ପାନୀ ୩ଶହ ସାଇକେଲ ଯୋଗାଇ ଦେବା ପରେ ମାମଲାର ପରିସମାପ୍ତି ଘଟିବ। ଦୋଷୀ ଧରା ନ ଯାଇ ସାଇକେଲ କେଳେଙ୍କାରୀକୁ ବନ୍ଦ କରିଦିଆଯିବ ବୋଲି ଏଥିରୁ ଜଣାପଡୁଛି।

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ହେକ୍ସି କମ୍ପାନୀର ଶହ ଶହ ସାଇକେଲ କବାଡିଖାନାରେ ସ୍କ୍ରାପ୍‌ ଭାବରେ କଟାଯାଉଥିବା ଗଣମାଧ୍ୟମରୁ ଜଣାପଡିଥିଲା। ଘଟଣାର ୩ଦିନ ପରେ ବିଏସ୍‌ସିଏଲ୍‌ ପକ୍ଷରୁ ସାଇକେଲ ଚୋରି ନଇ ଶହୀଦନଗର ଥାନାରେ ଅଭିଯୋଗ ହୋଇଥିଲା। ପରେ ମୋ ସାଇକେଲ ପରିଚାଳନା ଦାୟିତ୍ୱରେ ଥିବା ସୂର୍ଯ୍ୟକାନ୍ତ ଦଳବେହେରାଙ୍କୁ ଥାନାକୁ ଡକାଯାଇଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ। ଗତ ଶୁକ୍ରବାର ଦିଲ୍ଲୀରୁ କମ୍ପାନୀର ଅଧିକାରୀ ଆସିବା ପରେ ପୋଲିସ ତାଙ୍କୁ ପଚରାଉଚରା କରିଥିଲା।