ବିକାଶ ନାମରେ ଐତିହ୍ୟ, ପରମ୍ପରାକୁ ନଷ୍ଟ କରା ନ ଯାଉ

ଖଣ୍ଡପଡ଼ା,୧ା୧୦(ସ୍ବ.ପ୍ର): ଜଗନ୍ନାଥ ସଂସ୍କୃତିର ଆଦି ପୀଠ ଭାବେ ନୟାଗଡ଼ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ କଣ୍ଟିଲୋସ୍ଥିତ ପ୍ରଭୁ ଶ୍ରୀନୀଳମାଧବ ଜୀଉ ସର୍ବଜନ ବିଦିତ। ଉକ୍ତ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ଅନୁଦାନ ରାଶି ମଞ୍ଜୁର କରି ୧୮ମାସ ମଧ୍ୟରେ ଏହି ବିକାଶ ପ୍ରକଳ୍ପର କାର୍ଯ୍ୟ ସମ୍ପନ୍ନ ହେବାକୁଘୋଷଣା ପରେ ଜନସାଧାରଣଙ୍କ ମନରେ ଖୁସୀର ଲହରୀ ଭରି ଦେଇଛି। ବିସ୍ଥାପିତମାନଙ୍କୁ ଥଇଥାନ କରାଯିବା ନିମନ୍ତେ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ଶେଷ ହୋଇଯାଇଛି। ହେଲେ ଶ୍ରୀନୀଳମାଧବ ଜୀଉ ବିକାଶ ପ୍ରକଳ୍ପ କାର୍ଯ୍ୟକ୍ରମ ମଧ୍ୟରେ ଠାକୁରଙ୍କ ବହୁ ପ୍ରାଚୀନ ଐତିହ୍ୟ ଓ ପରମ୍ପରାକୁ ଏବଂ ଯାନିଯାତ୍ରା ପାଇଁ ସଂରକ୍ଷିତ ଜାଗା- ମାଘମେଳା ପଡିଆ, ଚନ୍ଦନ ପୋଖରୀ, ଦଶହରା ପଡିଆକୁ ନଷ୍ଟ କରା ନ ଯାଉ। ଜାଗାର ସୁରକ୍ଷା ଦିଗରେ ଜିଲା ପ୍ରଶାସନ, ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ବିଶେଷକରି ପୁରୀ ଶ୍ରୀକ୍ଷେତ୍ରରେ ପ୍ରଚଳିତ ୧୨ ମାସରେ ତେର ଯାତ୍ରା ସହ ସାମଞ୍ଜସ୍ୟ ଥିବା ଶ୍ରୀନୀଳମାଧବ ଜୀଉଙ୍କ ପରମ୍ପରା ମଧ୍ୟରେ ଠାକୁରଙ୍କ ଚନ୍ଦନ ଯାତ୍ରା ଓ ଭୈମୀ ଏକାଦଶୀ(ମାଘମେଳା)ମେଳା ମୁଖ୍ୟ ପର୍ବ। ତେବେ ମାଘମେଳା ପାଇଁ ସଂରକ୍ଷିତ ମେଳା ପଡିଆର କିଛି ଅଂଶ ବିସ୍ଥାପିତଙ୍କୁ ପ୍ରଦାନ କରାଯାଉଥିବା ଅଭିଯୋଗ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷରେ ଏପରି ଏକ ମେଗା ପ୍ରକଳ୍ପର ପ୍ରକୃତ ରୂପରେଖ ସାର୍ବଜନୀନ କରାଯାଉ। ଏଥିସହ ସମସ୍ତଙ୍କ ଅବଗତି ନିମନ୍ତେି ଜନଶୁଣାଣିର ଆବଶ୍ୟକ ଥିବାବେଳେ ସ୍ଥାନୀୟ ଜନ ପ୍ରତିନିଧିମାନଙ୍କୁ ଏ ଦିଗରେ ଅନ୍ଧାରରେ ରଖା ଯାଇଥିବା ଅଭିଯୋଗ ହେଉଛି।