ଯୌତୁକ ନିର୍ଯାତନା ମାମଲା: ସ୍ବାମୀଙ୍କୁ ବର୍ଷେ ସଶ୍ରମ କାରାଦଣ୍ଡ

ଭଦ୍ରକ ଅଫିସ,୬।୩: ଭଦ୍ରକ ଏସ୍‌ଡିଜେଏମ୍‌ ଚିନ୍ମୟ କୁମାର ପାଢ଼ୀ ସୋମବାର ଏକ ଯୌତୁକ ନିର୍ଯାତନା ମାମଲାର ବିଚାର କରି ତିହିଡ଼ି ଥାନା ଅଧୀନ ତଳବନ୍ଧ ଗ୍ରାମର ଅକ୍ଷୟ କୁମାର ବେହେରାଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୨ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲା ଭୁବନ ଗ୍ରାମର କୃଷ୍ଣଚନ୍ଦ୍ର ଦାସଙ୍କ ଝିଅ ସୁକାନ୍ତି ୧୯୯୩ରେ ତଳବନ୍ଧ ଗ୍ରାମର ଅକ୍ଷୟଙ୍କୁ ବିବାହ କରିଥିଲେ। ବିବାହ ସମୟରେ ୧୨ ହଜାର ଟଙ୍କା ଯୌତୁକ ଦାବି କରିଥିଲେ। ସୁକାନ୍ତିଙ୍କ ବାପା ୮ ହଜାର ଟଙ୍କା ଦେଇଥିଲେ। ବାକି ଯୌତୁକ ଟଙ୍କା ପାଇଁ ଅକ୍ଷୟ ସୁକାନ୍ତିଙ୍କୁ ଜୀବନରୁ ମାରିଦେବାକୁ ଧମକ ସହ ନିର୍ଯାତନା ଦେଉଥିଲେ। ଏପରିକି ସୁକାନ୍ତି ଗର୍ଭବତୀ ଥିବାବେଳେ ତାଙ୍କୁ ଖାଇବା ପିଇବାକୁ ନ ଦେଇ ୧୯୯୮ ଫେବୃୟାରୀରେ ଘରୁ ବାହାର କରିଦେବା ପରେ ସେ ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା (ନଂ.୬୮/୯୮) ରୁଜୁ କରି ଅକ୍ଷୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ପରେ ସେ ଜାମିନରେ ଆସି ମାମଲା ଲଢୁଥିଲେ। ଅଭିଯୋଗକାରୀଙ୍କ ପକ୍ଷରୁ ସରକାରୀ ଓକିଲ ମାଧବାନନ୍ଦ ଦାସ, ସ୍ମରଜିତ ମହାପାତ୍ର ଓ ଶୁଭଶ୍ରୀ ଜେନା ମାମଲା ପରିଚାଳନା କରୁଥିଲେ।