ହେପାଟାଇଟିସ୍‌ ଔଷଧରେ ଭଲ ହେବ କରୋନା

ରୋହତକ, ୩୦।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଭିନ୍ନ ଔଷଧ ସମ୍ପର୍କରେ ଚର୍ଚ୍ଚା ଜାରି ରହିଛି। ସମ୍ପ୍ରତି ହରିୟାଣାର ରୋହତକସ୍ଥିତ ପିଜିଆଇଏମ୍‌ଏସ୍‌ ପକ୍ଷରୁ କୁହାଯାଇଛି ଯେ, ହେପାଟାଇଟିସ୍‌-ସି ଲାଗି ବ୍ୟବହାର କରାଯାଉଥିବା ଔଷଧ କରୋନ ସଂକ୍ରମଣକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏନେଇ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲେଜି ବିଭାଗର ମୁଖ୍ୟ ପ୍ରଫେସର ଡ. ପ୍ରବୀଣ ମାଲହୋତ୍ରା ସୂଚନା ଦେଇଛନ୍ତି। ଗତ ୫ ଧରି ହେପାଟାଇଟସ୍‌-ବି ଏବଂ ସି ଆକ୍ରାନ୍ତଙ୍କ ଉପରେ ଅଧ୍ୟୟନ କରିବା ପରେ ଏହାର ରିପୋର୍ଟ ପ୍ରକାଶ ପାଇଛି। ଦେଢ଼ ହଜାର ଲୋକଙ୍କ ଉପରେ ପରୀକ୍ଷା ନିରୀକ୍ଷା କରାଯିବା ପରେ ଜଣାପଡ଼ିଥିଲା ଯେ, ହେପାଟାଇଟିସ୍‌ ଔଷଧ ନେଇଥିବା ଲୋକଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା କମ୍‌ ରହିଥାଏ। ଏବେ ଏହି ରିପୋର୍ଟକୁ ଭାରତୀୟ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲଙ୍କ ପାଖକୁ ପଠାଯାଇଛି। କରୋନା ସଂକ୍ରମଣ ଲାଗି ବ୍ୟବହୃତ ହେଉଥିବା ରେମିଡିସିଭିର୍‌ ଠାରୁ ହେପାଟାଇଟିସ୍‌ ଔଷଧ ଅଧିକ ଉପଯୋଗୀ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ସେପାଟାଇଟିସ୍‌ ସମସ୍ୟା କ୍ଷେତ୍ରରେ ସୋଫାବୁବିର୍‌ ସହିତ ଲାଡିପାସଭିର୍‌ ଏବଂ ଡାସାବୁଭିର୍‌ ମିଳିତ ଭାବେ ଆକ୍ରାନ୍ତଙ୍କୁ ଦିଆଯାଇଥାଏ।

Share