ସାମୁଦ୍ରିକ ଝଡ଼, ମୃତ୍ତିକା ଅବକ୍ଷୟ ରୋକୁଛି ହେନ୍ତାଳ ଜଙ୍ଗଲ

ମହାକାଳପଡ଼ା,୧୦।୮ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ସାମୁଦ୍ରିକ ଝଡ଼, ଉପକୂଳ ମୃତ୍ତିକା ଅବକ୍ଷୟ ରୋକିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ହେନ୍ତାଳ ଜଙ୍ଗଲ। ଏହି ଅଞ୍ଚଳରେ ବିଗତଦିନରେ ୧୯୬୭, ୧୯୭୧, ୧୯୮୨, ୧୯୯୯ (ମହାବାତ୍ୟା), ୨୦୧୩ (ଫାଇଲିନ), ୨୦୧୪ ( ହୁଡ ହୁଡ଼), ୨୦୧୮ ( ତିତିଲି ), ୨୦୧୯ ( ଫନି) ଆଦି ସାମୁଦ୍ରିକ ଝଡକୁ ସାମ୍ନା କରିଛି ହେନ୍ତାଳ ଗଛ। ଅପରପକ୍ଷେ ହେନ୍ତାଳ ଗଛ ପୂର୍ବ ଅପେକ୍ଷା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଅଧିକ ଜଙ୍ଗଲ ସୃଷ୍ଠି ହୋଇଛି। ଏହି ହେନ୍ତାଳ ଜଙ୍ଗଲ ପ୍ରାକୃତିକ ଉପାୟରେ ଗଛରୁ ମଞ୍ଜି ଝଡି ନୂଆ ଚାରା ସୃଷ୍ଟି ହୋଇ ଘଞ୍ଚ ବଣ ବୁଦାରେ ପରିପୂର୍ଣ୍ଣ ହୋଇଥାଏ। ଏହି ବଣ ମୂଳେ ଜଙ୍ଗଲୀ ଜନ୍ତୁ ଆଶ୍ରୟ ନେଇଥାନ୍ତି। ୧୯୬୦ରୁ ୭୦ ଦଶକରେ ହେନ୍ତାଳ ଗଛ ପତ୍ରକୁ କାଟି ଚାଳ ଘର ଛପର କାର୍ଯ୍ୟ କରାଯାଉଥିଲା। ଏହାର ସୁସ୍ବାଦୁ (ରୁଅ କୋଳି)କୁ ଶିଶୁଠାରୁ ବଡ ଯାଏ ଖାଇଥାନ୍ତି। ଏହି ଗଛର ପତ୍ରରେ ଛାଞ୍ଚୁଣୀ, ସପ୍‌, ମସିଣା, ଚଟ ଓ ଅନ୍ୟ ଘର କରଣା ପ୍ରସ୍ତୁତ ମଧ୍ୟ ହୁଏ।
ଏହି ଅଞ୍ଚଳର କଣ୍ଟିଲୋ ସଂରକ୍ଷିତ ଜଙ୍ଗଲ, ଭିତର ଖରିନାସୀ ସଂରକ୍ଷିତ ଜଙ୍ଗଲ, ଜମ୍ବୁ କଣ୍ଡରା ପାଟିଆ ଜଙ୍ଗଲ, ମହାକାଳପଡ଼ା ବନାଞ୍ଚଳ ଅଧୀନ ବତୀଘର ପଞ୍ଚାୟତର ଟୁବି ଜଙ୍ଗଲ, ହେଟାମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ, କଂସାରଡିଆ ସଂରକ୍ଷିତ ଜଙ୍ଗଲ, କାଉଡିଆ ସଂରକ୍ଷିତ ଜଙ୍ଗଲ, କଜଳପତିଆ ଜଙ୍ଗଲ, ସରଳିକୁଦ ଜଙ୍ଗଲ, ବାର ନମ୍ବର ଓ ରାମଚଣ୍ଡୀ ଗଳିଆ ନଦୀ ପାର୍ଶ୍ୱ, ପୂର୍ବ ସୁନୀତି ପାର୍ଶ୍ୱବର୍ତ୍ତୀ ଜଙ୍ଗଲରେ ବହୁ ପରିମାଣରେ ହେନ୍ତାଳ ଗଛ ଦେଖିବାକୁ ମିଳୁଛି। ଏହି ପ୍ରଜାତିର ହେନ୍ତାଳ ବା (ତନ୍ତୁ ଜାତୀୟ ରୁଅ) ଗଛଗୁଡ଼ିକ ବଡ଼ ବଡ଼ ସାମୁଦ୍ରିକ ଝଡକୁ ସାମ୍ନା କରିବାର କ୍ଷମତା ରହିଛି ବୋଲି ସମୁଦ୍ର କୂଳିଆ ଅଞ୍ଚଳର ଲୋକ ମାନେ କହିଛନ୍ତି। ଏହି ପ୍ରଜାତି ଗଛର ମଞ୍ଜିକୁ ବର୍ଷାଦିନ ପୂର୍ବରୁ ସଂଗ୍ରହ କରି ବ୍ୟାପକ ପରିମାଣରେ ଉପକୂଳ ଅଞ୍ଚଳ ଖାଲି ପଡ଼ିଥିବା ଜଙ୍ଗଲ ଜମିଗୁଡିକରେ ରୋପଣ କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ବନ ବିଭାଗ ନିକଟରେ ପରିବେଶ ପ୍ରେମୀ ସୁବାସ ଚନ୍ଦ୍ର ସ୍ବାଇଁ ଦାବି କରିଛନ୍ତି। ଅପରପକ୍ଷରେ ଏହି ହେନ୍ତାଳ ଗଛର ଶାଖାରେ ଦେଶୀୟ ପକ୍ଷୀମାନେ ସୁରକ୍ଷିତ ଭାବେ ବସା ବାନ୍ଧି ଥିବା ଦେଖିବାକୁ ମିଳେ। ଏହି ଗଛର ଶାଖା ପ୍ରଶାଖାରେ ତୀକ୍ଷ୍ମ ଯୁକ୍ତ କଣ୍ଟା ଥିବାରୁ ବାହ୍ୟ ଶତ୍ରୁ ଆକ୍ରମଣରୁ ନିଜକୁ ସୁରକ୍ଷିତ ମଣିଥାନ୍ତି ଦେଶୀୟ ପକ୍ଷୀ। ଏହି ଗଛର ଝଡ଼ି ପଡୁଥବା ଫଳ ବା (ରୁଆ କୋଳି )କୁ ଜଙ୍ଗଲି ଜୀବ ଜନ୍ତୁ ଖାଇଥାନ୍ତି। ନଦୀ ସଂଲଗ୍ନରେ ଥିବା ଗଛଗୁଡ଼ିକରୁ ଝଡ଼ି ପଡୁଥିବା କୋଳିକୁ ବଉଳା କୁମ୍ଭୀର ଖାଇ ଥାନ୍ତି।