ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚ୍ରେ ଟିମ ଇଣ୍ଡିଆକୁ ୨୪୪ ରନ୍ର ବଡ଼ ବ୍ୟବଧାନରେ ପରାଜୟ ବରଣ କରିବାକୁ ପଡ଼ିଛି। ନ୍ୟୁଜିଲାଣ୍ଡର ଏହି ବଡ଼ ବିଜୟର ନାୟକ ଥିଲେ ମ୍ୟାଟ ହେନରୀ ଓ ୱିଲ ୟଙ୍ଗ। ହେନରୀ ୨୭ ରନ ଦେଇ ୬ଟି ଉଇକେଟ ନେଇଥିବା ବେଳେ ୱିଲ ୟଙ୍ଗ ୧୨୫ ରନ୍ର ଶତକୀୟ ପାଳି ଖେଳିଥିଲେ।
୩୩୪ ରନ୍ର ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଦଳର ଆରମ୍ଭ ଅତ୍ୟନ୍ତ ଖରାପ ରହିଥିଲା। ଘାତକ ବୋଲିଂ ପାଇଁ ମ୍ୟାଟ ହେନରୀଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ମିଳିଥିଲା। ଭାରତ ବିପକ୍ଷରେ ଦିନିକିଆ କ୍ରିକେଟ୍ରେ ଦୁଇଥର ୫ ଉଇକେଟ ହଲ ହାସଲ କରିଥିବା ପ୍ରଥମ ନ୍ୟୁଜିଲାଣ୍ଡ ବୋଲର ହୋଇଛନ୍ତି ହେନରୀ। ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ମ୍ୟାଟ ହେନରୀଙ୍କ ପାଇଁ ଏହି ମ୍ୟାଚ୍ର ପ୍ରଥମ ଓଭର ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଓଭରର ପ୍ରଥମ ବଲ୍ରେ ସେ ରୋହିତ ଶର୍ମାଙ୍କୁ ସ୍ଲିପ୍ରେ କ୍ୟାଚ ଆଉଟ କରାଇଥିଲେ। ଏହାପରେ ପଞ୍ଚମ ବଲ୍ରେ ବିରାଟ କୋହଲିଙ୍କୁ ବୋଲ୍ଡ କରିଥିଲେ। ଓଭରର ଶେଷ ବଲ୍ରେ ଶ୍ରେୟସ ଆୟରଙ୍କୁ ମଧ୍ୟ ପାଭିଲିୟନ ଫେରାଇଥିଲେ।
ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ଦୁଇ ଅଭିଜ୍ଞ ବ୍ୟାଟର ଏହି ମ୍ୟାଚ୍ରେ ଖାତା ଖୋଲି ନ ପାରି ଆଉଟ ହୋଇଥିଲେ। ୨୦୧୦ ପରେ ପ୍ରଥମ ଥର ପାଇଁ ଗୋଟିଏ ମ୍ୟାଚ୍ରେ ଉଭୟ ଖେଳାଳି ଶୂନରେ ଆଉଟ ହୋଇଥିବା ଦାବି କରାଯାଇଛି। ଏହି ମ୍ୟାଚ୍ରେ ୬ଟି ଉଇକେଟ ନେଇ ମ୍ୟାଟ ହେନରୀ ନିଜ ନାଁରେ ଏକାଧିକ ରେକର୍ଡ ଯୋଡ଼ିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଦିନିକିଆରେ ସର୍ବାଧିକ ଥର ୫ ଉଇକେଟ ହଲ ନେବା କ୍ଷେତ୍ରରେ ସେ ଟିମ ସାଉଦିଙ୍କୁ ପଛରେ ପକାଇଛନ୍ତି।
ଦିନିକିଆ କ୍ରିକେଟ୍ରେ ହେନରୀଙ୍କ ଏହା ଚତୁର୍ଥ ୫ ଉଇକେଟ ହଲ। ଅନ୍ୟପକ୍ଷରେ ଟିମ ସାଉଦି ତିନିଥର ଏହି ସଫଳତା ହାସଲ କରିଥିଲେ। ତେବେ ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ୫ ଉଇକେଟ ହଲ ନେବାର ରେକର୍ଡ ଟ୍ରେଣ୍ଟ ବୋଲ୍ଟଙ୍କ ନାଁରେ ରହିଛି। ସେ ୬ ଥର ଏହି କାରନାମା କରିଛନ୍ତି।
ଏହା ସହିତ ଭାରତ ବିପକ୍ଷରେ ଦିନିକିଆରେ ଦୁଇଥର ୫ ଉଇକେଟ ହଲ ନେବାରେ ହେନରୀ ପ୍ରଥମ ନ୍ୟୁଜିଲାଣ୍ଡ ବୋଲର ହୋଇଛନ୍ତି। ମ୍ୟାଟ ହେନରୀ ନିଜର ପ୍ରଥମ ୬ ଓଭରରେ ମାତ୍ର ୧୬ ରନ ଦେଇ ୩ଟି ଉଇକେଟ ନେଇଥିଲେ। ସେହିପରି କାଇଲ ଜାମିସନ ୬ ଓଭରରେ ମାତ୍ର ୧୨ ରନ ବ୍ୟୟ କରି ଗୋଟିଏ ଉଇକେଟ ହାସଲ କରିଥିଲେ। ମାଥ୍ୟୁ ଫିସର ୭ ଓଭରରେ ୩୧ ରନ ଦେଇ ୩ଟି ଉଇକେଟ ନେଇଥିଲେ।
ତେବେ ଏହି ପରାଜୟ ସତ୍ତ୍ୱେ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ୍ରେ ଭାରତ ୨-୧ରେ ଆଗୁଆ ରହିଛି। ସିରିଜ୍ର ପଞ୍ଚମ ତଥା ଶେଷ ମ୍ୟାଚ ନଭେମ୍ବର ୧୫ ତାରିଖରେ ସେହି ବେ ଓଭାଲ ଷ୍ଟାଡିୟମରେ ଖେଳାଯିବ।