ପର୍ଯ୍ୟଟକଙ୍କ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି

ପୁରୀ ଅଫିସ,୫।୨: ପର୍ଯ୍ୟଟକଙ୍କ ପାଇଁ ପୁରୀ ପୋଲିସ ଗୁରୁବାର ହେଲ୍ପଲାଇନ୍‌ ନମ୍ବର ଜାରି କରିଛି। ୬୩୭୦୯୬୭୧୦୦ ନମ୍ବରରେ କଲ୍‌ କରି ପର୍ଯ୍ୟଟକମାନେ ପୁରୀ ପୋଲିସ ସହ ଯେକୌଣସି ସମୟରେ ଯୋଗାଯୋଗ କରିପାରିବେ। ଗତ ୨ତାରିଖରେ ପର୍ଯ୍ୟଟକ ଦମ୍ପତିଙ୍କୁ ଜଣେ ବସ୍‌ ଡ୍ରାଇଭର ମାଡ଼ ମାରିବା ପରେ ପୁରୀ ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏ ନେଇ ଏସ୍‌ପି କନୱର ବିଶାଲ ସିଂଙ୍କ ସହିତ ଘରୋଇ ବସ୍‌ ଆସୋସିଏଶନ କର୍ମକର୍ତ୍ତା ଆଲୋଚନା କରିଛନ୍ତି। ପର୍ଯ୍ୟଟକଙ୍କ ସହିତ ଉତ୍ତମ ବ୍ୟବହାର କରିବା ଉପରେ ଏସ୍‌ପି ଗୁରୁତ୍ୱ ଦେଇଛନ୍ତି। ବସ୍‌ ଆସୋସିଏଶନ ପକ୍ଷରୁ ଏସ୍‌ପିଙ୍କୁ ପ୍ରତିଶ୍ରୁତି ଦିଆଯାଇଛି ଯେ, ଏଣିକି ଯାତ୍ରୀଙ୍କୁ ସମ୍ମାନପୂର୍ବକ ବ୍ୟବହାର କରାଯିବା ସହ ସେମାନଙ୍କୁ ଆବଶ୍ୟକ ସହଯୋଗ କରାଯିବ। ତେବେ ଏହି ବୈଠକରେ ଦୁଇ ପ୍ରମୁଖ ପ୍ରସଙ୍ଗ ଉପରେ ମୋହର ବାଜିଛି। କିଛି ଦିନ ବ୍ୟବଧାନରେ ହେଲ୍ପର ଓ କଣ୍ଡକ୍ଟରମାନଙ୍କୁ ନେଇ ଏକ ସେସନ୍‌ ଅନୁଷ୍ଠିତ ହେବ। ଯାତ୍ରୀଙ୍କ ସହ କିଭଳି ଭଲ ବ୍ୟବହାର କରାଯିବ ସେନେଇ ପ୍ରଶିକ୍ଷଣ ଦିଆଯିବ। ସେହିପରି ପୋଲିସ ହେଲ୍ପଲାଇନ୍‌ ନମ୍ବର ପ୍ରତି ବସ୍‌ରେ ପ୍ରଦର୍ଶନ ହେବ। ଯାତ୍ରୀମାନେ ସୁବିଧାରେ ଏହି ନମ୍ବରରେ କଲ୍‌ କରି ଅଭିଯୋଗ ଜଣାଇପାରିବେ।