ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର ହୋଇଥିବାରୁ ଚିଲିକାରେ ମାଛ ମାରିବା ଥିଲା ତାଙ୍କର ମୁଖ୍ୟ ବେଉସା l ଦିନେ ନଳବଣ ଅଞ୍ଚଳ ଚିଲିକାରେ ମାଛ ମାରୁଥିବା ବେଳେ ହଠାତ ହୃଦଘାତରେ ମୃତ୍ୟୁ ଘଟିଥିଲା। ଦିନେଶ୍ୱରଙ୍କ ହୃଦଘାତରେ ମୃତ୍ୟୁ ଘଟିଥିବା ନେଇ ଚିଲିକା ଉନ୍ନୟନ କାର୍ଯ୍ୟାଳୟ ପକ୍ଷରୁ କୁହା ଯାଇଥିଲେ ମଧ୍ୟ ଶବ ବ୍ୟବଛେଦ କରାଯାଇ ନ ଥିଲା କିମ୍ବା ମୃତ ଦିନେଶ୍ୱରଙ୍କ ପରିବାରକୁ କୌଣସି ସହାୟତା ପ୍ରଦାନ କରି ନ ଥିଲା ସିଡିଏ କର୍ତ୍ତୃପକ୍ଷ l
ଦିନେଶ୍ୱରଙ୍କ ମୃତ୍ୟୁର ଠିକ ଛଅ ବର୍ଷ ପରେ ସ୍ତ୍ରୀ ତ୍ରିବେଣୀ ବେହେରା ମଧ୍ୟ ଏକ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଥିଲେ। ତଥାପି ଟଙ୍କାଟିଏ ମିଳିଲାନି l ଦିନେଶ୍ୱରଙ୍କ ମା’ ରାଧା ବେହେରା, ଅବିବାହିତ ଭଉଣୀ ଝୁନୁ ବେହେରା ଏବଂ ଦିନେଶ୍ୱରଙ୍କ ପୁଅ ଦେବାଶିଷ ଓ ଝିଅ ସୋନାଲି l ଗତ ତିନି ଦିନ ତଳେ ରାଧାଙ୍କର ମୃତ୍ୟୁ ଘଟିଛି l ବାପା ମା’ଙ୍କ ଅକାଳ ବିୟୋଗ ପରେ ବେସାହାରା ହୋଇ ପଡିଥିଲେ ଦିନେଶ୍ୱରଙ୍କ ଝିଅ ସୋନାଲି ଓ ପୁଅ ଦେବାଶିଷ l ସୋନାଲି ଯୁକ୍ତ ତିନିରେ ପଢ଼ୁଥିବା ବେଳେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ଦେବାଶିଷ l ବାପା ମା’ଙ୍କୁ ହରାଇ ଯେତିକି ଭାଙ୍ଗି ପଡି ନ ଥିଲେ ଏବେ ଜେଜେମାଙ୍କୁ ହରାଇ ସମ୍ପୂର୍ଣ ଭାଙ୍ଗି ପଡ଼ିଥିବା କହିଛନ୍ତି ସୋନାଲି ଓ ଦେବାଶିଷ l ବର୍ତ୍ତମାନ ତାଙ୍କର ସାହାରା କହିଲେ ଅବିବାହିତ ପିଉସୀ ଝୁନୁ l ପିଉସୀ ଝୁନୁଙ୍କର ମଧ୍ୟ ଅଣ୍ଟାରେ ଆଘାତ ଯୋଗୁ ମୂଲ ଲାଗି ପାରୁ ନାହାନ୍ତି l କେମିତି ଆମେ ବଞ୍ଚିବୁ କିଏ ଆମକୁ ଖାଇବାକୁ ଦେବ ଆମେ ବଞ୍ଚିବାକୁ ରାହା ଖୋଜୁଛୁ ବୋଲି କୋହଭରା କଣ୍ଠରେ କହିଛନ୍ତି ଭାଇ-ଭଉଣୀ l ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବେସାହାରା ଭାଇ ଭଉଣୀଙ୍କୁ ସହାୟତା କରିବାକୁ ଅନୁରୋଧ କରିଛନ୍ତି l
Dharitri – Odisha’s No.1 Odia Daily

