ଅନ୍ୟର ଚାପରେ ଅସହାୟ ମମତା

ବଲାଙ୍ଗୀର ଅଫିସ, ୨୯।୬:  ବଲାଙ୍ଗୀର ସଦର ବ୍ଲକ ଚୁଡାପାଲି ଗ୍ରାମର ମମତା ପଣ୍ଡା । ସେ ଜଣେ ଅଙ୍ଗନଓ୍ବାଡି କର୍ମୀ । ହେଲେ ଜନ୍ମରୁ ଦିବ୍ୟାଙ୍ଗ ଥିବା ମମତାଙ୍କ ପାଇଁ ଏହି ଶାରୀରିକ ଅସୁସ୍ଥତା ଅସୁମାରୀ ଦୁଃଖ ଆଣିଛି । କେତେଜଣ ବିଭାଗୀୟ କର୍ମଚାରୀଙ୍କ ଚାପ ତାଙ୍କୁ ଆଗକୁ ବଢ଼ିବାରେ ପ୍ରତିବନ୍ଧକ ସୃଷ୍ଟି କରିଛି ବୋଲି ସେ କହିଛନ୍ତି । ଏ ସଂକ୍ରାନ୍ତରେ ମମତା ଜିଲାପାଳ, ଆରଡିସି ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ତାଙ୍କ ନ୍ୟାୟ ମିଳୁ ବୋଲି ସେ ଦାବି କରିଥିଲେ । ସମ୍ବଲପୁର ଆରଡିସିଙ୍କ ଅଫିସରୁ ଜଣେ ଅଧିକାରୀ ଆସି ତାଙ୍କ ଅଭିଯୋଗର ତଦନ୍ତ କରିଛନ୍ତି । ତଥାପି ମମତାଙ୍କୁ ନ୍ୟାୟ ମିଳି ନ ଥିବା ସେ ଅଭିଯୋଗ କରିଛନ୍ତି ।
ପୋଲିଓ ଆକ୍ରାନ୍ତ ଯୋଗୁ ପିଲାଟି ଦିନରୁ ମମତା ଚାଲିବା ଶକ୍ତି ହରାଇଥିଲେ । ତଥାପି ପ୍ରବଳ ଇଚ୍ଛାଶକ୍ତି ତାଙ୍କ ପାଠ ପଢ଼ାରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରି ପାରି ନ ଥିଲା । ୨୦୦୯ରେ ସେ ପାଟଣାଗଡ଼ ଜବାହରଲାଲ ମହାବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିଲେ । ଶାରୀରିକ ଅସୁସ୍ଥତା ସତ୍ତ୍ୱେ ସେ ନିଜ ଗୋଡରେ ଠିଆ ହେବାକୁ ଉଦ୍ୟମ ଜାରି ରଖିଥିଲେ । ଇତିମଧ୍ୟରେ ତାଙ୍କୁ ଚୁଡାପାଲି ଅଙ୍ଗନୱାଡି ଗ’ ସେଣ୍ଟରର ଜଣେ କର୍ମୀଭାବେ ନିଯୁକ୍ତି ମିଳିଥିଲା । ଚାଲିବା ଶକ୍ତି ନ ଥିବାରୁ ମମତା ସାନ ଭାଇ ଅଜିତ୍‌ଙ୍କ ସହିତ ପ୍ରତିଦିନ ନିଜ ଘରଠାରୁ ପ୍ରାୟ ଅଢ଼େଇ କିଲୋମିଟର ଦୂର ଅଙ୍ଗନୱାଡି କେନ୍ଦ୍ରକୁ ଯିବା ଆସିବା କରୁଥିଲେ । ହେଲେ ଦଇବ ସହିଲା ନାହିଁ । ୨୦୧୫ରେ ଅଜିତଙ୍କ ଅକାଳ ବିୟୋଗ ଘଟିଲା । ପୂର୍ବରୁ ବାପା ପରିବାର ସହ ସମ୍ପର୍କ ଛିନ୍ନ କରି ଅନ୍ୟତ୍ର ଚାଲିଯିବା ପରେ ଏବେ ମା’ଙ୍କ ସହିତ ମମତା ଘରେ ରହିଛନ୍ତି । ସାନଭାଇଙ୍କ ମୃତ୍ୟୁ ପରେ ମମତା ଅଙ୍ଗନୱାଡି କେନ୍ଦ୍ରକୁ ଯିବାଆସିବାରେ ହଇରାଣ ହେଉଥିଲେ । ତା’ପୂର୍ବରୁ ଚୁଡାପାଲି ଅଙ୍ଗନୱାଡି ‘ଖ’ ସେଣ୍ଟରର ଅଙ୍ଗନୱାଡି କର୍ମୀଙ୍କ ପରଲୋକ ଘଟିଥିଲା । ମମତା ଖ ସେଣ୍ଟରର ଅତିରିକ୍ତ ଦାୟିତ୍ୱରେ ରହିଥିଲେ । ମମତାଙ୍କ ଯାତାୟତ ସମସ୍ୟା ଓ କର୍ତ୍ତବ୍ୟ ସମ୍ପାଦନା ଦେଖି ଗଁ। ମୁଖିଆ ବୈଠକରେ ମମତାଙ୍କୁ ତାଙ୍କ ଘର ପାଖ ଖ ସେଣ୍ଟରରେ ରଖିବାକୁ ସ୍ଥିର କରିଥିଲେ । ସରକାରଙ୍କ ତରଫରୁ ଉକ୍ତ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ମମତା ଆବେଦନ କରିଥିଲେ ଓ ଯୋଗ୍ୟତା ତାଲିକାରେ ଶୀର୍ଷରେ ରହିଥିଲେ । ହେଲେ ତାଙ୍କୁ ସେ ସୁଯୋଗ ମିଳି ନ ଥିଲା । ଯୋଗ୍ୟତା ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ସେହି ଗଁ।ର ଅନ୍ୟଜଣେ ଯୁବତୀ ରୋଜି ନାଗଙ୍କୁ ଖ କେନ୍ଦ୍ରରେ ନିଯୁକ୍ତି ଦିଆଯାଇଥିଲା । ଏହା ପରେ ବି ଉଭୟଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ହୋଇଥିଲା । ରୋଜି ଗ ସେଣ୍ଟରରେ କାମ କରିବେ ଓ ମମତା ଖ ସେଣ୍ଟରରେ କାମ କରିବେ ବୋଲି ସ୍ଥିର ହୋଇଥିଲା । ହେଲେ ବିଭାଗୀୟ କର୍ମଚାରୀଙ୍କ ଚାପରେ ସବୁ ଓଲଟ ପାଲଟ ହୋଇଯାଇଥିଲା । ପୂର୍ବଭଳି ମମତା ଗ ସେଣ୍ଟରକୁ କାମ କରିବାକୁ ଯିବାକୁ ବାଧ୍ୟ ହେଉଛନ୍ତି । କେତେକ ବିଭାଗୀୟ କର୍ମଚାରୀ ଓ ଅନ୍ୟ କେତେଜଣ ବ୍ୟକ୍ତି ମମତାଙ୍କୁ ହଇରାଣ କରିବାକୁ ଏଭଳି କରିଥିବା ସେ ଅଭିଯୋଗ କରିଛନ୍ତି । ମମତାଙ୍କ ଭଳି ଜଣେ ଦିବ୍ୟାଙ୍ଗ କର୍ମୀଙ୍କୁ ସରକାର ନ୍ୟାୟ ପ୍ରଦାନ କରନ୍ତୁ ବୋଲି ସେ ଜିଲାପାଳ, ଆରଡିସି ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।