ଥଇଥାନ ହେବେ ଅସହାୟ ଭଉଣୀ-ଭାଇ

ଅନୁଗୋଳ,୮ା୭(ଅମିତ କୁମାର ସାମଲ): କିଶୋରନଗର ବ୍ଲକ ଧଉରାପାଲି ପଞ୍ଚାୟତସ୍ଥିତ ବଏଜା ଗ୍ରାମର ମାତାପିତାହୀନ ଭଉଣୀ-ଭାଇଙ୍କ ଥଇଥାନ ବ୍ୟବସ୍ଥା କରାଯିବ। ଶୁକ୍ରବାର ଅନୁଗୋଳ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା, ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ ସାହୁ, ସଦସ୍ୟ କଲ୍ୟାଣ କିଶୋର ମହାନ୍ତି, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ୍ବାହିଦା ବେଗମ ସମ୍ପୃକ୍ତ ଅସହାୟ ଭଉଣୀ ଭାଇଙ୍କ ନିକଟରେ ପହଞ୍ଚି ଏ ନେଇ ସମ୍ପର୍କୀୟଙ୍କ ସହ ଆଲୋଚନା କରିଛନ୍ତି।
ପ୍ରକାଶ ଯେ, ସମ୍ପୃକ୍ତ ଅସହାୟ ଭଉଣୀ ଭାଇ ବର୍ଷେ ତଳେ ବାପାଙ୍କୁ ହରାଇଥିବା ବେଳେ ୮ ଦିନ ହେବ ମା’ଙ୍କୁ ହରାଇଛନ୍ତି। ଏବେ ସେମାନେ ପିଉସୀଙ୍କ ନିକଟରେ ଆଶ୍ରୟ ନେଇଛନ୍ତି। ୧୫ ବର୍ଷୀୟା ବଡ଼ ଭଉଣୀ ୯ମ ଶ୍ରେଣୀରେ ପଢ଼ୁଥିବା ବେଳେ ୧୧ ବର୍ଷୀୟ ଭାଇ ୬ଷ୍ଠ ଶ୍ରେଣୀର ଛାତ୍ର। ତେଣୁ ସେମାନଙ୍କ ପାଠପଢ଼ା ଓ ଥଇଥାନ ବ୍ୟବସ୍ଥା ନେଇ ସମ୍ପୃକ୍ତ ଅଧିକାରୀମାନେ ପିଲାଙ୍କ ପିଉସୀ ଓ ମାମୁଘର ଲୋକଙ୍କ ସହ କଥା ହୋଇଥିଲେ। ମା’ଙ୍କ ଶୁଦ୍ଧିକ୍ରିୟା ପରେ ଦୁଇ ପିଲାଙ୍କୁ ଅନୁଗୋଳସ୍ଥିତ ଉତ୍କଳ ବାଳାଶ୍ରମରେ ରଖି ଯତ୍ନ ଓ ସୁରକ୍ଷା ଦିଆଯିବା ସହିତ ନିକଟସ୍ଥ ବିଦ୍ୟାଳୟରେ ନାମ ଲେଖାଯିବ ବୋଲି କହିଥିଲେ। ପରେ ଅଧିକାରୀମାନେ କିଶୋରନଗର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପ୍ରଧାନଶିକ୍ଷୟିତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏଥିସହ କିଶୋରନଗର ବିଡିଓ ବିନୋଦ ବିହାରୀ ବେହେରା ସ୍ଥାନୀୟ ସରପଞ୍ଚଙ୍କ ସହ ଦୁଇ ପିଲାଙ୍କ ନିକଟରେ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ପ୍ରଦାନ କରିଥିଲେ। ପିଲାଙ୍କ ପିଉସୀଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରାଯିବା ସହିତ ଶିଶୁମାନଙ୍କୁ କିପରି ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସହାୟତା ଯୋଗାଇ ଦିଆଯିବ ସେ ନେଇ ଶିଶୁ ସୁରକ୍ଷା ଅଧିକାରୀ ବେହେରା ବିଡିଓଙ୍କ ସହିତ କଥା ହୋଇଥିଲେ। ଏହି ପରିଦର୍ଶନ ସମୟରେ ଚାଇଲ୍ଡ ଲାଇନ ଅନୁଗୋଳର ସଂଯୋଜକ ପୂଜା ସ୍ବାଇଁ, ସ୍ଥାନୀୟ ଅଙ୍ଗନଓ୍ବାଡ଼ି କର୍ମୀ, ଓ୍ବାର୍ଡମେମ୍ବର, ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସତ୍ୟାନନ୍ଦ ସାହୁ, ଆଇସିଡିଏସ୍‌ ସୁପର ଭାଇଜର ରଞ୍ଜିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।