ମା’ ଛେଉଣ୍ଡ ଯାଆଁଳା ଶିଶୁଙ୍କୁ ସହାୟତା

ଢେଙ୍କାନାଳ ଅଫିସ, ୨୨ ।୩ ଯାଆଁଳା ସନ୍ତାନକୁ ଜନ୍ମ ଦେବାପରେ ଆଖିବୁଜିଲେ ମା’। ଜୀବନ କ’ଣ ଜାଣିବା ଆଗରୁ ଦୁଇ କୋମଳମତି ଛୁଆ ହୋଇଗଲେ ମାତୃହରା। ବାପା ମାନସିକ ଅନଗ୍ରସର ହୋଇଥିବାରୁ ଏହି ଦୁଇ କଅଁଳ ଶିଶୁ କେମିତି ବଞ୍ଚତ୍ବେ ତାହାକୁ ନେଇ ପରିବାର ସଦସ୍ୟ ଚିନ୍ତାରେ ପଡ଼ିଥିବାବେଳେ ସହାୟତାର ହାତ ବଢ଼ାଇଛି ଢେଙ୍କାନାଳ ଜିଲା ପ୍ରଶାସନ। ଶିଶୁଙ୍କ ସମ୍ପର୍କୀୟଙ୍କୁ ରେଡ୍‌କ୍ରସ୍‌ ପାଣ୍ଠିରୁ ମାସିକ ୨ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ ସରୋଜ କୁମାର ସେଠୀ।
ସୂଚନାଯୋଗ୍ୟ, ଢେଙ୍କାନାଳ ସଦର ବ୍ଲକ ଭାପୁର ଶବର ସାହିର ଅଜୁ ନାଏକ (୨୫) ଜଣେ ମାନସିକ ଅନଗ୍ରସର। ୧୫ଦିନ ତଳେ କଟକର ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କ ସ୍ତ୍ରୀ ରଶ୍ମିତାଙ୍କ ପ୍ରସବ ହୋଇଥିଲା। ସେ ଏକସାଙ୍ଗରେ ଝିଅ ଏବଂ ପୁଅଙ୍କୁ ଜନ୍ମ ଦେଇଥିଲେ। ପ୍ରସବ ପରେ ରଶ୍ମିତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗଡ଼ି ଯାଇଥିଲା ଏବଂ ୧୮ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଜୁଙ୍କ ମାନସିକ ଅବସ୍ଥା ଭଲ ନ ଥିବାରୁ ଦୁଇ ଶିଶୁଙ୍କ ଲାଳନପାଳନ କରିବା ଚିନ୍ତାର ବିଷୟ ପାଲଟିଥିଲା। ଏଭଳି ସମୟରେ ସୋମବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ସହାୟତା ଲୋଡ଼ିଥିଲେ ଅଜୁଙ୍କ ଦୁଇ ଖୁଡ଼ୀ ଝରଣା ନାଏକ ଏବଂ କୁନି ନାଏକ। ଏଭଳି ଏକ ଦୁଃଖଦ ଘଟଣାରେ ଶିଶୁଙ୍କ ପ୍ରତି ଜିଲାପାଳ ସମବେଦନା ଜ୍ଞାପନ କରିଛନ୍ତି। ଦୁଇ ଛୁଆଙ୍କ ଟିକାକରଣ, ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ସିଡିପିଓଙ୍କୁ କୁହାଯାଇଛି। ଉଭୟ ଶିଶୁଙ୍କୁ ଅନ୍ୟ ସରକାରୀ ଯୋଜନାରେ ସାମିଲ କରିବାକୁ ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।