ଡ୍ରାଇଭରଙ୍କୁ ହତ୍ୟା କରିଥିଲେ ହେଲପର

ରୂପସା, ୨୬ା୧୧(ଡି.ଏନ.ଏ.): ବାଲେଶ୍ୱର ୬୦ ନମ୍ବର ଜାତୀୟ ରାଜପଥର ସଦର ବ୍ଲକ ଅଧୀନ ହଳଦୀପଦା ବାଇପାସ୍‌ ନିକଟସ୍ଥ ଏକ ପୋଲ ତଳୁ ଗତ ୧୬ ତାରିଖରେ ଜଣେ ଅଜଣା ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଥିଲା। ଏହାର ୧୦ ଦିନ ପରେ ପୋଲିସ ହତ୍ୟା ରହସ୍ୟ ପର୍ଦ୍ଦାଫାଶ କରିଛି। ଡ୍ରାଇଭରଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ଅଭିଯୁକ୍ତ ହେଲପରଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି।
ପୋଲିସ ସୂଚନା ଅନୁଯାୟୀ, ଟ୍ରକରେ ଡ୍ରାଇଭର୍‌ ଓ ହେଲପର ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଆସୁଥିବା ବେଳେ ରାସ୍ତାରେ ଚକା ବଦଳକୁ କେନ୍ଦ୍ର କରି ବାଲୁଗାଁଠାରେ ଉଭୟଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ସେଠାରେ ହେଲପର ଜଣକ ଡ୍ରାଇଭରଙ୍କ ତଣ୍ଟି ଚିପି ହତ୍ୟା କରି ହଳଦୀପଦାଠାରେ ଏକ ପୋଲ ତଳେ ପକାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଟ୍ରକ ନେଇ ପଶ୍ଚିମବଙ୍ଗ ପଳାଇଥିଲେ। ଟ୍ରକ ମାଲିକ ଡ୍ରାଇଭର୍‌ ବିଷୟରେ ପଚାରିବାରୁ ସେ ଟ୍ରକ ଛାଡି କୁଆଡେ ପଳାଇଥିବା ହେଲପର କହିଥିଲେ। ସନ୍ଦେହ ହେବାରୁ ଟ୍ରକ ମାଲିକ ହେଲପରଙ୍କୁ ଅଟକ ରଖି ପଶ୍ଚିମବଙ୍ଗର ଡାଙ୍କୁଣୀ ଥାନାରେ ଡ୍ରାଇଭର ନିଖୋଜ ନେଇ ଅଭିଯୋଗ କରିଥିଲେ। ବସ୍ତା ଥାନା ପୋଲିସ ଅଜଣା ମୃତଦେହ ଜବତ କରି ଏକ ମାମଲା (ନଂ.୨୯୯/୨୨) ରୁଜୁ କରି ସବୁ ଥାନାକୁ ଖବର ଦେଇଥିଲେ। ଖବର ପାଇ ମୃତକଙ୍କ ପରିବାର ଲୋକେ ବସ୍ତା ଥାନାରେ ପହଞ୍ଚିବା ପରେ ମୃତଦେହକୁ ପୋଲିସ ହସ୍ତାନ୍ତର କରିଥିଲା। ହେଲପରଙ୍କୁ ତଦନ୍ତ ପରିସରଭୁକ୍ତ କରି ଥାନାରେ ପଚରାଉଚରା ପରେ ଅଭିଯୁକ୍ତ ହେଲପର ସବୁ ସତ ମାନିଥିଲେ। ମୃତ ଡ୍ରାଇଭର ହେଲେ ଆସାମ ରାଜ୍ୟ ଡବୁରି ଅଞ୍ଚଳର ଗୋବିନ୍ଦ ମଦକ (୩୨)। ଅଭିଯୁକ୍ତ ହେଲପରଙ୍କ ଘର କୂଚବିହାର ଜିଲା ବକ୍ସିଘାଟ ଥାନା ଅଧୀନ ଗୋଦାରଚୋର ଅଞ୍ଚଳର ଅନନ୍ତ ଭୌମିକ (୨୮)।