ଯୋଗାଡ଼ିଆ

ଭାରତ ଆଗାମୀ ଦିନରେ ବିଶ୍ୱର ନେତୃତ୍ୱ ନେବ ବୋଲି ଦେଶର ଶୀର୍ଷ ନେତା କହୁଛନ୍ତି। କହୁଛନ୍ତି ଭାରତ ହେବ ବିଶ୍ୱଗୁରୁ। ଆହୁରି ମଧ୍ୟ କୁହାଯାଉଛି ସ୍ୱାଧୀନତା ପରେ ଯାହା କରାଯାଇପାରି ନ ଥିଲା, ବିଗତ ୯ ବର୍ଷ ମଧ୍ୟରେ ତାହାଠାରୁ ଯଥେଷ୍ଟ ଅଧିକ ହୋଇପାରିଛି। ବର୍ତ୍ତମାନ ସମୟର ସ୍ଥିତି ଦେଖିଲେ ଶାସକ ଉପରଠାଉରିଆ ଭାବେ ଏଭଳି ବାହୁସ୍ଫୋଟ ମାରିଲେ ମଧ୍ୟ କେହି ପ୍ରତିବାଦ କରୁନାହାନ୍ତି। କିନ୍ତୁ ବାସ୍ତବତା ସମସ୍ତେ ଅନୁଭବ କରୁଛନ୍ତି। ଏଠାରେ ବିଜ୍ଞାନକୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଭାବେ ନିଆଯାଇ ଆଲୋଚନା କରାଯାଉ।
୨୦୦୯ରେ ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପାଇଥିବା ଭେଙ୍କଟରମଣ (ଭେଙ୍କି) ରାମକ୍ରିଷ୍ଣନ୍‌ ନିକଟରେ ତାମିଲନାଡୁର ଚେନ୍ନାଇଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଭାରତୀୟ ବିଜ୍ଞାନ ଉପରେ ଦେଇଥିବା ମନ୍ତବ୍ୟ ଏଠାରେ ପ୍ରଣିଧାନଯୋଗ୍ୟ। ସେ କହିଛନ୍ତି, ବିଜ୍ଞାନ ପ୍ରତି ପାଣ୍ଠି ଯୋଗାଣରେ ଅଭାବ ଓ ଅମଲାତାନ୍ତ୍ରିକ ବାଧା ଯୋଗୁ ଭାରତୀୟ ବିଜ୍ଞାନ ପଛରେ ପଡ଼ିଛି। ତାଙ୍କ ପୁସ୍ତକ ‘ଜିନ୍‌ ମେଶିନ୍‌’ର ତାମିଲ ଅନୁବାଦ ଲୋକାର୍ପଣ ଅବସରରେ ସେ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଆଗ୍ରହ ଯୋଗୁ ବିଶିଷ୍ଟ ବୈଜ୍ଞାନିକ ସି. ଭି. ରମଣ, ଜଗଦୀଶ ଚନ୍ଦ୍ର ବୋଷ, ଏସ୍‌.ଏନ୍‌. ବୋଷ, ମେଘନାଦ ଶାହା ଓ ହୋମି ଭାବାଙ୍କ କାର୍ଯ୍ୟ ଗୁରୁତ୍ୱ ପାଇପାରିଥିଲା। ନେହେରୁ ବିଜ୍ଞାନ ପାଇଁ ଅଧିକ ପାଣ୍ଠି ଦେବା ଓ ଗବେଷଣା ଅନୁଷ୍ଠାନ ପ୍ରତିଷ୍ଠା ଫଳରେ ବିଜ୍ଞାନର ଜୟଯାତ୍ରା ହୋଇଥିଲା। ହେଲେ ଏବେ ଦୀର୍ଘମିଆଦୀ ବିଶେଷକରି ୨୦ ବର୍ଷ ଲାଗି ଏଥିସକାଶେ ଭିଜନ୍‌ ରଖା ନ ଯାଇ ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖାଯାଇ ପଦକ୍ଷେପ ନିଆଯାଉଛି। ତେଣୁ ରାଜନୈତିକ ବ୍ୟକ୍ତିମାନେ ଏ ବିଷୟରେ ଭାବିବା ଦରକାର ବୋଲି ରାମକ୍ରିଷ୍ଣନ୍‌ କହିଛନ୍ତି। ତାଙ୍କ ଭାଷଣକୁ ତର୍ଜମା କଲେ ବହୁ ଦିଗକୁ ଏହା ଇଙ୍ଗିତ କରୁଛି। ସ୍ବାଧୀନତା ପରେ ପୂର୍ବ ସରକାରଗୁଡ଼ିକ ଯାହା କରି ନ ଥିଲେ ବୋଲି ଯାହା ବାରମ୍ବାର ଦୋହରାଯାଉଛି, ତାହା ସତ୍ୟ ନୁହେଁ ବୋଲି ରାମକ୍ରିଷ୍ଣନ୍‌ଙ୍କ ଭାଷଣରୁ ସ୍ପଷ୍ଟ ହେଉଛି।
୧ ଫେବୃୟାରୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ କରିଥିବା ସାଧାରଣ ବଜେଟରେ ବିଜ୍ଞାନ କ୍ଷେତ୍ରକୁ ଗତବର୍ଷ ତୁଳନାରେ ମାତ୍ର ୨,୦୦୦ କୋଟି ଟଙ୍କା ଅଧିକ ବ୍ୟୟବରାଦ କରିଛନ୍ତି । ୨୦୨୨-୨୩ରେ ଏହାର ପରିମାଣ ୧୪,୨୧୭ କୋଟି ଟଙ୍କା ଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ୧୬,୩୬୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୧୭-୧୮ଠାରୁ ଗବେଷଣା କ୍ଷେତ୍ରରେ ଭାରତ ସରକାରଙ୍କ ଧ୍ୟାନ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ମାତ୍ର ୦.୭ ପ୍ରତିଶତ କିମ୍ବା ଟିକେ ଅଧିକ ରହିଆସିଛି। ଏଥିରେ ଭାରତୀୟ ନେତୃତ୍ୱ ଗବେଷଣା ଓ ଅଭିନବତ୍ୱ କ୍ଷେତ୍ରରେ କେତେ ଦୃଷ୍ଟି ଦେଉଛନ୍ତି ବୁଝିହେଉଛି। ଉକ୍ତ ପ୍ରତିଶତ ଇସ୍ରାଏଲ, ଦକ୍ଷିଣ କୋରିଆ, ଜାପାନ, ଜର୍ମାନୀ, ଆମେରିକା, ଫ୍ରାନ୍ସ, ବ୍ରିଟେନ୍‌ ଓ କାନାଡାର ଗବେଷଣା କ୍ଷେତ୍ରରେ ବ୍ୟୟ ହେଉଥିବା ଅର୍ଥଠାରୁ ଯଥେଷ୍ଟ କମ୍‌। ଉଲ୍ଲେଖଯୋଗ୍ୟ, ଇସ୍ରାଏଲ୍‌ରେ ତା’ ଜିଡିପିର ୪.୭ ପ୍ରତିଶତ ବ୍ୟୟ କରାଯାଉଥିବା ବେଳେ ଭାରତରେ ସେହି ପରିମାଣ ଅତି ନଗଣ୍ୟ। ଏତିକି ଆର୍ଥିକ ସମ୍ବଳ ଧରି ଭାରତ ଗବେଷଣା କ୍ଷେତ୍ରରେ ଆଗକୁ ଯିବ ବୋଲି ଭାବିବା କଷ୍ଟକର। ହୁଏତ ସେଥିପାଇଁ ଭାରତୀୟମାନେ ବିଦେଶ ଯାଇ ଅନେକ ନୂତନ ଆବିଷ୍କାର କରୁଥିବା ବେଳେ ତାହାର ସୁନାମ କିମ୍ବା ସୁବିଧା ଭାରତ ହାସଲ କରିପାରୁନାହିଁ। ଏଥିରେ ହୁଏତ ଗୋଟେ ଜାତିର ମାନସିକତା ସହିତ ଗଭୀର ସମ୍ପର୍କ ରହିଛି। ଭାରତରେ ସମସ୍ତେ ତତ୍‌କ୍ଷଣାତ୍‌ ସୁବିଧା ଉଠାଇବାକୁ ଚେଷ୍ଟା କରିଥାଆନ୍ତି। କିନ୍ତୁ ଗବେଷଣା ଓ ବିକାଶ (ଆର୍‌ ଆଣ୍ଡ୍‌ ଡି) ହେଉଛି ଦୀର୍ଘମିଆଦୀ ଦାୟିତ୍ୱ। ବହୁଳ ଅର୍ଥ ଖର୍ଚ୍ଚ ହେବା ସହିତ ଅନେକ ସମୟ ଏଥିପାଇଁ ଲାଗିଥାଏ। କୋଭିଡ୍‌ ମହାମାରୀ ସମୟରେ ଏହାର ଏକ ସୁନ୍ଦର ଉଦାହରଣ ଦେଖିବାକୁ ମିଳିଥିଲା। କେବଳ ଭାରତ ନୁହେଁ, ସବୁ ଦେଶରେ ନିଜର ଟିକା ପ୍ରସ୍ତୁତ କରିବା ପାଇଁ ଦୌଡ଼ ଆରମ୍ଭ ହେଲା। ଏବେ ଭାରତରେ ପ୍ରସ୍ତୁତ କୋଭାକ୍‌ସିନ୍‌ର ପ୍ରଭାବ ଅତ୍ୟନ୍ତ ଗୌଣ ଥିବାବେଳେ ଆମେରିକା ଭଳି ଦେଶରେ ଫାଇଜର ଏବଂ ମଡେର୍ନା ପରି ଟିକା ନେଇଥିବା ଲୋକଙ୍କ ଆକସ୍ମିକ ହୃଦ୍‌ରୋଗରେ ମୃତ୍ୟୁ ଘଟୁଛି ଓ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଏବେ ଉପୁଜୁଛି ବୋଲି ରିପୋର୍ଟ ଆସୁଛି। ଗବେଷଣା ଓ ବିକାଶ ଦିଗରେ ଅଧିକ ଅର୍ଥ ବରାଦ କରାଯାଇ ବିଧିବଦ୍ଧ ପ୍ରୟାସ ହେବା ଦରକାର। ପଡ଼ୋଶୀ ଚାଇନା ତା’ ଜିଡିପିର ୨.୫ ପ୍ରତିଶତରୁ ଅଧିକ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ବ୍ୟୟ କରୁଛି। ତଥାପି ସେହି ଚାଇନାକୁ ଅଧିକାଂଶ ବୈଜ୍ଞାନିକ ଜ୍ଞାନକୌଶଳ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟଠାରୁ ଚୋରି କରିବାକୁ ପଡୁଛି। ନିଜସ୍ବ ଜ୍ଞାନ କୌଶଳରେ ଚାଇନା ଦ୍ୱାରା ପ୍ରସ୍ତୁତ କୋଭିଡ୍‌ ଟିକା ସମ୍ପୂର୍ଣ୍ଣ ଭାବେ ଅକାମୀ ବୋଲି ଏବେ ପ୍ରମାଣିତ ହୋଇଛି। ଭାରତୀୟମାନେ ଦେଶପ୍ରେମରେ ଉତ୍ସାହିତ ହୋଇ ସରକାରଙ୍କ ଅସତ୍ୟ ପ୍ରଚାରକୁ ବିଶ୍ୱାସ କରି ଭାବୁଛନ୍ତି ଯେ, ଏହି ଦେଶର ସବୁପ୍ରକାର ଜ୍ଞାନ ପୂର୍ବରୁ ରହିଆସିଛି। ଆମକୁ ବୁଝାଇ ଦିଆଯାଇଛି ଯେ ରାବଣ ତାଙ୍କ ‘ବ୍ୟୋମଯାନ’ରେ ସୀତାଙ୍କୁ ଅପହରଣ କରିନେଇଥିଲେ। ତାହା ଯଦି ସତ୍ୟ ହୋଇଥିଲା ତେବେ ଆଜି ପର୍ଯ୍ୟନ୍ତ ଭାରତ ତା’ର ନିଜସ୍ବ ବିମାନ ତିଆରି କରୁ ନ ଥିବା ବେଳେ ବ୍ରାଜିଲ ଭଳି ଦେଶ ଏମ୍‌ବ୍ରାଏର୍‌ ପରି ଏକ ଅତ୍ୟାଧୁନିକ ଉଡାଜାହାଜ ତିଆରି କରିପାରୁଛି, ଯାହାର କି ସମଗ୍ର ବିଶ୍ୱ ବଜାରରେ ଚାହିଦା ରହିଛି। ସେଥିପାଇଁ କୌତୂହଳରେ କୁହାଯାଏ ରାବଣଙ୍କ ବ୍ୟୋମଯାନ ଭାରତ ନୁହେଁ, ଶ୍ରୀଲଙ୍କା ଜ୍ଞାନକୌଶଳରେ ନିର୍ମିତ ହୋଇଥିଲା।
ଏଭଳି ପ୍ରଚ୍ଛଦପଟରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଯାଇ ଇସ୍ରୋରେ ବୈଜ୍ଞାନିକଙ୍କ ମେଳରେ ପଶି ତାଳି ମାରନ୍ତି, ସେତେବେଳେ ଭାରତୀୟ ଗଣମାଧ୍ୟମ କେବଳ ପ୍ରଧାନମନ୍ତ୍ରୀଙ୍କ ନାମ ଉଲ୍ଲେଖ କରିବା ବ୍ୟତୀତ ସେହି ଫଟୋରେ ଥିବା ଅନେକ ବୈଜ୍ଞାନିକଙ୍କୁ ଅଣଦେଖା କରିଥାଏ। ଏହା ଫଳରେ ଆମ ଦେଶର ବୈଜ୍ଞାନିକମାନେ ସାଧାରଣ ସ୍କୁଲ ଛାତ୍ରୀଛାତ୍ରଙ୍କ ଜ୍ଞାତସାରରେ ରହି ନ ଥାଆନ୍ତି। ଏଭଳି ଦେଶରେ କେବଳ ରାଜନେତା ଚିହ୍ନା ପଡ଼ନ୍ତି ଓ ଅନ୍ୟସବୁ ବୈଜ୍ଞାନିକ, ଗବେଷକ, ବିଶେଷଜ୍ଞ ଏବଂ ପ୍ରଯୁକ୍ତିବିତ୍‌ ଲୁଚିଯାଆନ୍ତି। ସେଥିପାଇଁ ଆମ ଦେଶରେ ମାନସିକତାରେ ପରିବର୍ତ୍ତନ ନ ହେବା ଯାଏ କୌଣସି ଉଦ୍ଭାବନ ଓ ଇନୋଭେଶନ ଘଟିପାରିବ ନାହିଁ। ଭାରତ କେବଳ ଏକ ‘ଯୋଗାଡ଼ିଆ’ ଦେଶ ଭାବେ ବିଶ୍ୱବ୍ୟାପୀ ଚିହ୍ନା ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri