Categories: ଜାତୀୟ

ରେଲଓ୍ବେ ଟ୍ରାକ୍‌-ଏନ୍‌ଏଚ୍‌ ପାର୍ଶ୍ୱରେ ନିର୍ମିତ ହେବ ହେଲିପ୍ୟାଡ୍‌…

ନୂଆଦିଲ୍ଲୀ, ୧୦।୧ : ଆହତମାନଙ୍କୁ ତୁରନ୍ତ ହେଲିକପ୍ଟର ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯିବା ଯୋଜନା ଅନ୍ତର୍ଗତ ରେଲଓ୍ବେ ଟ୍ରାକ ଏବଂ ଜାତୀୟ ରାଜପଥ(ଏନ୍‌ଏଚ୍‌) ପାର୍ଶ୍ୱରେ ହେଲିପ୍ୟାଡ ନିର୍ମାଣ କରାଯିବ। ଏହି ପରିପ୍ରେକ୍ଷୀରେ, ରେଲଓ୍ବେ ଏବଂ ରାଜପଥ ପ୍ରକଳ୍ପର ଡିପିଆରରେ ହେଲିପ୍ୟାଡ ତିଆରି ପାଇଁ ଜମି ଚିହ୍ନଟ ପାଇଁ ବ୍ୟବସ୍ଥା କରିବାକୁ ସଂସଦୀୟ କମିଟି କେନ୍ଦ୍ର ସରକାରଙ୍କୁ କହିଛି। ଏହା ବ୍ୟତୀତ ସୁରକ୍ଷା ଏବଂ ନିରାପତ୍ତା ଉପରେ ଏକ କୋର୍‌ ଗ୍ରୁପ ଏବଂ ଉପ-କମିଟି ଗଠନ ପାଇଁ ସୁପାରିଶ କରିଛି। କମିଟିରେ ଅଭିଜ୍ଞ ବିଶେଷଜ୍ଞମାନଙ୍କୁ ସାମିଲ କରାଯିବାକୁ କୁହାଯାଇଛି। କମିଟିର ପରାମର୍ଶକୁ ସରକାର ଗ୍ରହଣ କରିଛନ୍ତି।

ଯାହା ଦ୍ୱାରା ଏଣିକି ଦେଶରେ ହେଲିକପ୍ଟର ଆମ୍ବୁଲାନ୍ସ ଜରୁରୀକାଳୀନ ସେବା ଆରମ୍ଭ ହୋଇପାରିବ। ପରିବହନ, ପର୍ଯ୍ୟଟନ ଉପରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଗତ ମାସରେ ଜାତୀୟ ରାଜପଥ ଏବଂ ରେଲଓ୍ବେ ଟ୍ରାକରେ ହେଲିପ୍ୟାଡ ନ୍‌ିର୍ମାଣ ପାଇଁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟକୁ ସୁପାରିଶ କରିଥିଲା। ଏଠାରେ ହେଲିକପ୍ଟର ଆମ୍ବୁଲାନ୍ସ ଜରୁରୀକାଳୀନ ଅବତରଣ କରିପାରିବ ଏବଂ ପ୍ରାକୃତିକ ବିପର୍ଯ୍ୟୟ, ରେଳ-ସଡ଼କ ଦୁର୍ଘଟଣାରେ ଆହତମାନଙ୍କୁ ଡାକ୍ତରଖାନାକୁ ତୁରନ୍ତ ନିଆଯାଇ ପାରିବ।

କମିଟି କହିଛି ଯେ ରେଳବାଇ ଏବଂ ରାଜପଥର ନୂତନ ପ୍ରକଳ୍ପର ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆରପ) ରେ ହେଲିପ୍ୟାଡ ଜମି ଯୋଗାଣ କରାଯିବା ଆବଶ୍ୟକ। ଏହାର ସଶକ୍ତିକରଣ ପାଇଁ ସଡକ ପରିବହନ, ରେଳବାଇ, ପରିବହନ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କୋର୍‌ ଗ୍ରୁପ ଏବଂ ଉପ-କମିଟ ି ଗଠନ କରିବାକୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ସମସ୍ତ କମିଟି ମିଳିତ ସଚିବ ସ୍ତରର ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ। ଏଥିରେ ସମ୍ପୃକ୍ତ କ୍ଷେତ୍ରର ବିଶ୍ୱ ସ୍ତରୀୟ ବିଶେଷଜ୍ଞମାନେ ନିଯୁକ୍ତ ହେବେ। ଏହି କମିଟିଗୁଡିକ ପ୍ରତି ମାସରେ କୋର୍‌ ଗ୍ରୁପ ସମ୍ମୁଖରେ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗ ଉପସ୍ଥାପନ କରିବେ । କୋର୍‌ ଗ୍ରୁପ ସବ କମିଟିର କାର୍ଯ୍ୟର ସମୀକ୍ଷା ଏବଂ ତଦାରଖ କରିବ ।

ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ ଦିଲ୍ଲୀ-କୋଲକାତା, ଦିଲ୍ଲୀ-ମୁମ୍ବାଇ, ଦିଲ୍ଲୀ-ଜାମ୍ମୁ, ଦିଲ୍ଲୀ-ଡେରାଡୁନ, ଦିଲ୍ଲୀ-ଭୋପାଳ, ଲକ୍ଷ୍ନୌ-ମୁମ୍ବାଇ, କୋଲକାତା-ଚେନ୍ନାଇ, ମୁମ୍ବାଇ-କୋଲକାତା ଆଦି ପ୍ରମୁଖ ରେଳ ଟ୍ରାକ ଏବଂ ଏନ୍‌ଏଚ୍‌ ପାର୍ଶ୍ୱରେ ହେଲିପ୍ୟାଡ ନିର୍ମାଣ କରିବାକୁ ଯୋଜନା କରାଯାଇଛି।

Share