Categories: ଜାତୀୟ

୩ ହେଲିକପ୍ଟର ନେଇ ସହରରେ ପହଞ୍ଚିଲେ ରଦ୍ଦିଓ୍ବାଲା: ଆଉ ତା’ପରେ…

ଚଣ୍ଡିଗଡ଼,୨୩।୬: ପଞ୍ଜାବ ମନସାର ଜଣେ ରଦ୍ଦିଓ୍ବାଲା ଭାରତୀୟ ସେନାଠାରୁ ୬ ଗ୍ରାଉଣ୍ଡେଡ୍‌ ହେଲିକପ୍ଟର କ୍ରୟ କରିଛନ୍ତି। ଯାହାକୁ ଦେଖିବା ପାଇଁ ସହରରେ ପ୍ରବଳ ଭିଡ଼ ଜମିଥିବା ବେଳେ ହେଲିକପ୍ଟରର ବାହାରେ ଓ ଭିତରେ ଲୋକମାନେ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି। ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାର ରଦ୍ଦିରୁ କିଣାଯାଇଥିବା ଏହି ହେଲିକପ୍ଟରଗୁଡ଼ିକ ମଧ୍ୟରୁ ଗୋଟିଏକୁ ମୁମ୍ବାଇର ପାର୍ଟି ନେଇଥିବା ବେଳେ ଆଉ ୨ଟିକୁ ଲୁଧିଆନାର ଜଣେ ହୋଟେଲ ମାଲିକ କ୍ରୟ କରିଥିବା ଜଣାପଡ଼ିଛି। ଆଉ ବାକି ୩ଟି ହେଲିକପ୍ଟରକୁ ମନସାର ଜଣେ ଜଣାଶୁଣା ମିଠୁ ରଦ୍ଦିଓ୍ବାଲା ଏହାକୁ କ୍ରୟ କରି ସହରକୁ ନେଇଥିଲେ।

ଯାହାକୁ ଦେଖି ସ୍ଥାନୀୟ ଲୋକଙ୍କ ଖୁସି କହିଲେ ନ ସରେ। ଲୋକମାନେ ପାର୍କିଂ ସ୍ଥଳରେ ପହଞ୍ଚି ହେଲିକପ୍ଟର ସହିତ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି। ପ୍ରତି ହେଲିକପ୍ଟରର ଓଜନ ହେଉଛି ୧୦ ଟନ୍‌। ଯାହାକୁ ନିଲାମୀ ଜରିଆରେ କିଣାଯାଇଛି। ମିଠୁ ରଦ୍ଦିଓ୍ବାଲାଙ୍କ ପାଇଁ ଏହି ଡିଲ୍‌ ଲାଭଜନକ ହୋଇଥିବା ବେଳେ ଅନ୍ୟପଟେ ସହରରେ ଏହା ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ହେଲିକପ୍ଟରଗୁଡ଼ିକୁ ହୋଟେଲ ଓ ପର୍ଯ୍ୟଟନ ସ୍ଥଳରେ ରଖାଯିବ ବୋଲି କୁହାଯାଉଛି।

Share