Categories: ଜାତୀୟ

ଗାନ୍ଧିନଗରରେ ହେବ ହୀରାବେନଙ୍କ ଅନ୍ତିମ ସଂସ୍କାର, ପୁଅ ପଙ୍କଜ ମୋଦିଙ୍କ ଘରେ ଶେଷ ଦର୍ଶନ

ଗାନ୍ଧିନଗର,୩୦ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ମୋଦିଙ୍କର ଶୁକ୍ରବାର ସକାଳେ ପରଲୋକ ହୋଇଛି । ୧୦୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅହମଦାବାଦର ୟୁଏନ ମେହେଟା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମା’ଙ୍କ ପରଲୋକ ଖବର ନିଜେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ଜଣାଇଛନ୍ତି । ଏହି ଖବର ପାଇବା ପରେ ତୁରନ୍ତ ପ୍ରଧାନମନ୍ତ୍ରୀ ଅହମଦାବାଦ ଗସ୍ତ କରିଛନ୍ତି । କୁହାଯାଉଛି କି ହୀରାବେନଙ୍କ ପାର୍ଥିବ ଶରୀର ପୁଅ ପଙ୍କଜ ମୋଦିଙ୍କ ଘରକୁ ଆଣି ସେଠାରେ ଶେଷ ଦର୍ଶନ ପାଇଁ ରଖାଯିବ । ପଙ୍କଜ ମୋଦିଙ୍କ ଘର ଗାନ୍ଧିନଗରରେ ହୋଇଥିବାରୁ ସେହିଠାରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
ମିଳିଥିବା ସୂଚନା ଅନୁଯାୟୀ, ହୀରାବେନଙ୍କ ଅନ୍ତିମ ସଂସ୍କାର ସେକ୍ଟର ୩୦ରେ ଥିବା ଶ୍ମଶାନରେ ହେବ । ପୁଅ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବଡ ବଡ ନେତା ହୀରାବେନଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେବେ । ସୂଚନା ଅନୁଯାୟୀ, ସକାଳ ୮ଟାରୁ ଅନ୍ତିମ ଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଯାଇ ଅନ୍ତିମ ସଂସ୍କାର କରାଯିବ । ଅନୁମାନ କରାଯାଉଛି କି ତାଙ୍କର ଅନ୍ତିମ ସଂସ୍କାର ସାମାନ୍ୟ ବିଳମ୍ବରେ ହୋଇପାରେ ।

Share