Categories: ଖେଳ

କ୍ରିକେଟର ଏହି ବିରଳ ରେକର୍ଡ, ଯାହା ଆଜି ବି ରହିଛି ଅତୁଟ

କ୍ରିକେଟରେ ଅନେକ ବଡ ରେକର୍ଡ କରାଯାଇଥିଲା। କିନ୍ତୁ କିଛି ଖେଳାଳିଙ୍କ ଏମିତି ରେକର୍ଡ କରିଛନ୍ତି ଯାହା ଭାଙ୍ଗିବା କଷ୍ଟକର। ଇଂଲଣ୍ଡର ବାମହାତୀ ସ୍ପିନ ବୋଲର ହେଡଲି ଭେରିଟିଙ୍କ ରେକର୍ଡ ତାହା ମଧ୍ୟରୁ ଅନ୍ୟତମ। ୧୯୩୨ ମସିହାରେ କାଉଣ୍ଟି ଚାମ୍ପିଅନସିପରେ ଏକ ମ୍ୟାଚରେ ସେ ୧୦ ରନ ଦେଇ ୧୦ ଉଇକେଟ ନେଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟର ଏହି ଚମତ୍କାର ରେକର୍ଡ ୮୯ ବର୍ଷ ପରେ ମଧ୍ୟ ଆଜିବି ଅତୁଟ ଅଛି। କେବଳ ଏତିକି ନୁହେଁ, ଭେରିଟି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନ ଟେଷ୍ଟରେ ସର୍ବାଧିକ ଥର ଆଉଟ୍‌ କରିଥିଲେ।
୧୮ ମେ ୧୯୦୫ରେ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିବା ହେଡଲି ୧୨ ଜୁଲାଇ ୧୯୩୨ରେ ୟର୍କସାୟାର ପାଇଁ ଖେଳିବାବେଳେ ନଟିଂହାମସାୟାର ବିପକ୍ଷରେ ୧୦ ରନ ଦେଇ ୧୦ ଉଇକେଟ ନେଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟର ଏହା ହେଉଛି ସର୍ବୋତ୍ତମ ପ୍ରଦର୍ଶନ। ହେଡଲି ତାଙ୍କ କ୍ୟାରିୟରରେ ଦୁଇଥର ୧୦ ଉଇକେଟ ନେଇଥିଲେ। ଏହାପୂର୍ବରୁ ୧୯୩୧ମସିହାରେ ସେ ୱାର୍କକ୍ସାୟାର ବିପକ୍ଷରେ ୩୬ ରନ ଦେଇ ୧୦ ଉଇକେଟ ନେଇଥିଲେ। ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୯୦୦ରୁ ଅଧିକ ଉଇକେଟ ନେଇଥିଲେ।

ଏହା ବ୍ୟତୀତ ହେଡଲି ଟେଷ୍ଟରେ ଗୋଟିଏ ଦିନରେ ୧୪ ଉଇକେଟ ନେଇ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ୨୫ ଜୁନ ୧୯୩୪ରେ, ଲର୍ଡସରେ ଖେଳାଯାଇଥିବା ମ୍ୟାଚର ତୃତୀୟ ଦିନରେ ହେଡଲି ୧୪ ଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନକୁ ପଠାଇଥିଲେ। ସେ ଏହି ମ୍ୟାଚରେ ମୋଟ ୧୫ ଉଇକେଟ ନେଇଥିଲେ। ଇଂଲଣ୍ଡ ଏହି ମ୍ୟାଚକୁ ଏକ ଇନିଂସ ଏବଂ ୩୮ ରନରେ ଜିତିଥିଲା। ତାଙ୍କର ସାମଗ୍ରିକ ଟେଷ୍ଟ କ୍ୟାରିୟରକୁ ଦେଖି ସେ ୪୦ଟି ମ୍ୟାଚରେ ୧୪୪ ଉଇକେଟ ନେଇଥିଲେ। ସେ ୫ ଥର ୫ ଉଇକେଟ ଏବଂ ୨ ଥର ୧୦ ଉଇକେଟ ନେଇ ଥିଲେ।
ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନଙ୍କୁ ଟେଷ୍ଟରେ ସର୍ବାଧିକ ଥର ହେଡଲି ତାଙ୍କୁ ଆଉଟ୍‌ କରିଛନ୍ତି। ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିଅରକୁ ଦେଖିଲେ ସେ ୩୭୮ ମ୍ୟାଚରେ ୧୯୫୬ ଉଇକେଟ ନେଇଥିଲେ। ସେ ୫ଟି ଉଇକେଟ ୧୬୪ଥର ଏବଂ ୧୦ଟି ଉଇକେଟ ୫୪ ଥର ନେବାର କାରନାମା କରିଛନ୍ତି। ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୫୬୦୩ ରନ ମଧ୍ୟ କରିଥିଲେ। ଗୋଟିଏ ଶତକ ଏବଂ ୧୩ ଅର୍ଦ୍ଧ ଶତକ ସ୍କୋର କରିଥିଲେ। ୧୦୧ ରନ ତାଙ୍କର ସବୁଠାରୁ ବଡ ସ୍କୋର ଥିଲା। ଏହି କିମ୍ବଦନ୍ତୀ ବୋଲର ମାତ୍ର ୩୮ ବର୍ଷ ବୟସରେ ପ୍ରାଣ ହରାଇଥିଲେ। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେନାରେ ଯୋଗ ଦେଇଥିଲେ। ସେ ଏକ ଇଟାଲୀ ଜେଲରେ ଯୁଦ୍ଧ ବନ୍ଦୀ ଭାବରେ ରହୁଥିଲେ ଏବଂ ଆହତ କାରଣରୁ ସେଠାରେ ମୃତ୍ୟୁବରଣ କରିଥିଲେ।

 

Share