ରଣନୀତି ନେଇ ହେଭିଓ୍ବେଟଙ୍କ ମାନସମନ୍ଥନ

ଝାରସୁଗୁଡ଼ା ଅଫିସ,୧୭।୫: ବ୍ରଜରାଜନଗର ଉପନିର୍ବାଚନ ଆସନ୍ତା ୩୧ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ମଙ୍ଗଳବାର ନାମାଙ୍କନପତ୍ର ପ୍ରତ୍ୟାହାର ଶେଷ ଦିନ। ପରେ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଏପରିକି ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କୁ ବିଜୟୀ କରିବା ନେଇ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ନାମ ତାଲିକା ପ୍ରକାଶ ପାଇଛି। ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପରେ ପ୍ରାର୍ଥୀ ଓ କର୍ମୀଙ୍କ ମହଲରେ ଅଧିକ ଉତ୍ସାହ ଦେଖାଦେଇଛି। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନେତୃବୃନ୍ଦ ଧିରେଧିରେ ଝାସୁଗୁଡ଼ାରେ ଡେରା ପକାଇବା ଆରମ୍ଭ କରିଦେଲେଣି। ଇତିମଧ୍ୟରେ ବିଜେଡିର ହେଭିଓ୍ବେଟ ଜିଲାର ବିଭିନ୍ନ ହୋଟେଲ ଏବଂ ଅତିଥି ଭବନରେ ରହି ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିଜେଡି ନେତୃବୃନ୍ଦଙ୍କ ମଧ୍ୟରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ସୁଶାନ୍ତ ସିଂହ, ବିଧାୟକ ଦେବୀ ପ୍ରସାଦ ମିଶ୍ର, କଟକ ମେୟର ସୁବାସ ସିଂହ ପ୍ରମୁଖ ଏକ ଅତିଥି ଭବନରେ ଏକାଠୀ ହୋଇ ଦଳୀୟ ରଣନୀତିକୁ ନେଇ ମାନସ ମନ୍ଥନ ଚଳାଇଛନ୍ତି।