ପଲିଥିନମୁକ୍ତ ସହର ଅଭିଯାନ ବାଟବଣା

ରାଉରକେଲା,୨।୩(ବିପ୍ଲବ ରନ ଦାଶ): ୨୦୦୮ରୁ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ରୋକିବା ପାଇଁ ସରକାର ଆଇନଗତ କଟକଣା ସହ ବ୍ୟାପକ ସଚେତନତା ଅଭିଯାନ କରୁଛନ୍ତି। ୨୦୨୨ରେ ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଏବଂ ପଲିଥିନ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି। ଏହାସତ୍ତ୍ୱେ ରାଉରକେଲା ସହରରେ ପଲିଥିନ ଏବଂ ପ୍ଲାଷ୍ଟିକର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ଫଳରେ ପଲିଥିନମୁକ୍ତ ରାଉରକେଲା ସହର ଅଭିଯାନ ବାଟବଣା ହୋଇଛି।
ରାଉରକେଲା ସହରର ପ୍ରାୟ ସବୁ ହୋଟେଲ, ରେଷ୍ଟୁରାଣ୍ଟ, ଆମିଷ ବଜାର, ମିଷ୍ଟାନ୍ନ ବଜାର, ବିଭିନ୍ନ ମଲ୍‌, ପରିବା ବଜାର ଏବଂ ତେଜରାତି ଦୋକାନରେ ଏଭଳି କିସମର ପତଳା ପଲିଥିନ ବହୁଳ ଭାବେ ଖୁଲମଖୁଲା ବ୍ୟବହାର ହେଉଛି। ରାଉରକେଲାରେ ଏଭଳି ଗୋଟିଏ ବି ଉଦ୍ୟୋଗ ନ ଥିବା ବେଳେ ପ୍ରାୟତଃ ଛତିଶଗଡ, ରାୟପୁର ଆଦି ଅଞ୍ଚଳରୁ ଏଠାକୁ ପଲିଥିନ ଏବଂ ପ୍ଲାଷ୍ଟିକ ଆସୁଛି। ଏଥିସହ ପ୍ରାୟ ସବୁ ପଲିଥିନ ପ୍ଲାଷ୍ଟିକ ପ୍ୟାକେଟ ଚାଇନା ମେଡ୍‌ ଥିବା ଜଣାପଡିଛି। ପରିବେଶ ପାଇଁ କ୍ଷତିକାରକ ଏଭଳି ଉପାଦାନର ବହୁଳ ବ୍ୟବହାର ରୋକିବା ଦାୟିତ୍ୱ ରାଉରକେଲା ପରିବେଶ ବିଭାଗ ଓ ଆର୍‌ଏମ୍‌ସି ଉପରେ ନ୍ୟସ୍ତ ରହିଛି। ଆରଏମସି ପକ୍ଷରୁ ଦୈନିକ ୧୫୦ ଏମ୍‌ଟି ଆବର୍ଜନା ସଲିଡ୍‌ ଓ୍ବେଷ୍ଟ ପୁନଃଚକ୍ରଣରେ ବିଶୋଧନ ହେଉଛି ଓ ଦୈନିକ ୩୩୩ ସିୟୁଏମ୍‌ ସଲିଡ ଓ୍ବେଷ୍ଟରୁ ୬୭ ସିୟୁଏମ ସଲିଡ ଓ୍ବେଷ୍ଟ ପୁନଚକ୍ରଣ ହୋଇ କମ୍ପୋଷ୍ଟ ଖତ ଉପତ୍ାଦନ କରାଯାଉଛି। ଏହାସତ୍ତ୍ୱେ ପଲିଥିନର ବହୁଳ ବ୍ୟବହାର ଯୋଗୁ ଏହା ସହରର ବିଭିନ୍ନ ସ୍ଥାନରେ ଏଣେତେଣେ ପଡିଥିବା ଦେଖାଯାଉଛି। ଅନ୍ୟପଟେ ଫୁଡ ପ୍ରଡକ୍ଟ କମ୍ପାନୀ ପ୍ରସ୍ତୁତ ପ୍ଲାଷ୍ଟିକ ପାଣି ବୋତଲ ଏମ୍‌ଏଫ୍‌ଜି ତାରିଖ ମଧ୍ୟ ରହୁନାହିଁ। ଗୋଟିଏ ଇମେଲ ଆଇଡି ଏବଂ କଷ୍ଟମର କେୟାର ନମ୍ବର ବୋତଲରେ ଛପା ହେଉଛି। ମାତ୍ର କଷ୍ଟମର କେୟାର ନମ୍ବରକୁ ଫୋନ୍‌ କଲେ ଲାଗୁନାହିଁ। ଲୋକମାନେ ବାଧ୍ୟହୋଇ ଏକ୍ସପାଏରି ପାଣି ପିଉଛନ୍ତି। ସେହିପରି ବୋତଲ ଶୁଷ୍କ ତଥା ଥଣ୍ଡା ଜାଗାରେ ରଖିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ସହରର ଦୋକାନୀମାନେ ଖରାରେ ରଖି ବିକ୍ରି କରୁଛନ୍ତି। ଏହା ଉପରେ ବିଭାଗର ନୀରବତା ସହର ପରିବେଶ ଓ ସହରବାସୀଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ସାଜୁଥିବା ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି।
ଏ ନେଇ ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ବିଭାଗ ମୁଖ୍ୟ ଅଧିକାରୀ ଅନୁପ ମଲ୍ଲିକଙ୍କୁ ପଚାରିବାରୁ ସେ କହିଲେ, ମୁଁ ୭ମାସ ହେଲା ରାଉରକେଲା ପ୍ରଦୂଷଣ ବିଭାଗରେ ଯୋଗ ଦେଇଛି। ଏହି ସମୟ ମଧ୍ୟରେ ୫ଥର ସହରର ବିଭିନ୍ନ ସ୍ଥାନରେ ରିସାଇକ୍ଲିଂ ହୋଇପାରୁ ନ ଥିବା ଏକ୍ସଜିନ କିସମର ପତଳା ପଲିଥିନ ଓ ପ୍ଲାଷ୍ଟିକ ଥିବା ଦୋକାନ ଉପରେ ଚଢାଉ ହୋଇଛି। ଆଗକୁ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ଉପରେ ଅଙ୍କୁଶ ଲଗାଇବା ପାଇଁ ବ୍ୟାପକ ଚଢାଉ କରାଯିବ ବୋଲି ସେ କହିଥିଲେ।