ଅସହ୍ୟ ତାତିରେ ଜୀବନ ଅସ୍ତବ୍ୟସ୍ତ

ଧରାକୋଟ/ସୋରଡ଼ା,୫ା୪(ବିଷ୍ଣୁକେଶରୀ ଆଚାର୍ଯ୍ୟ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲାରେ ଶୁକ୍ରବାର ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇଛି। ପୂର୍ବାହ୍ନ ୧୦ଟାରୁ ତାତି ଅସହ୍ୟ ହୋଇଥିଲା। ଫଳରେ ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ ଶୂନଶାନ ହୋଇ ପଡିଥିବା ଦେଖାଯାଇଥିଲା। ଧରାକୋଟ ଅଞ୍ଚଳରେ ବ୍ଲକ, ତହସିଲ, ବ୍ୟାଙ୍କ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ଜଲଦି ଘରକୁ ଫେରିବା ପାଇଁ ଉଦ୍ୟମ କରିବା ବେଳେ ଘରୋଇ ବସଗୁଡ଼ିକ ଧରାକୋଟ ଭିତରକୁ ଆସୁ ନ ଥିବା ଯୋଗୁ ଲକ୍ଷ୍ମୀ ବସ ଲୋକଙ୍କ ଭରସା ପାଲଟିଥିଲା।

ତାପମାତ୍ରା ହଠାତ ବୃଦ୍ଧି ଘଟିଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ପଞ୍ଚାୟତ ପକ୍ଷରୁ ଜଳଛତ୍ର ଖୋଲାଯାଇ ନାହିଁ। ଲୋକେ ପାଇବା ପାଣି ପାଇଁ ଡହଳବିକଳ ହେଉଥିବା ଦେଖାଯାଇଥିଲା। ପ୍ରଶାସନ ତରଫରୁ ଅଂଶୁଘାତ ମୁକାବିଲା ପାଇଁ ଜଳଛତ୍ର ଖୋଲିବା ସହ ଜନ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି ।

ସେହିପରି ସୋରଡା ଅଞ୍ଚଳରେ ମଧ୍ୟ ଖରା ଯୋଗୁ ରାସ୍ତାରେ ଚାଲିବା ମୁସ୍କିଲ ହୋଇପଡିଥିଲା। ଏନଏସି ତରଫରୁ ଲଗାଯାଇଥିବା ରାସ୍ତା ପାର୍ଶ୍ୱବୃକ୍ଷ ଏବେ ପଥଚାରୀ, ବ୍ୟବସାୟୀମାନଙ୍କୁ ସହାୟ ହୋଇଛି। ଏନଏସି ପକ୍ଷରୁ ସବୁଠି ପାନୀୟ ଜଳର ସୁବନ୍ଦୋବସ୍ତ ହୋଇଥିବା ବେଳେ ବିଭିନ୍ନ ଛକଗୁଡିକରେ ସ୍ଥାୟୀ ଜଳଛତ୍ର ରହିଛି । ଅନ୍ୟପଟେ ପିସିଏମ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସ୍କାଉଟ ବିଭାଗ ତରଫରୁ ବଡକାଳି ମନ୍ଦିର ରାସ୍ତାରେ ଦୀର୍ଘ ୧୫ ଦିନ ହେଲା ଛାତ୍ରୀମାନେ ଅଧ୍ୟାପିକା ଏଲିଜା ପଟ୍ଟନାୟକଙ୍କ ପରିଚାଳନାରେ ସମସ୍ତଙ୍କୁ ସକାଳୁ ଅପରାହ୍ନ ଯାଏଁ ଚଲା ସର୍ବତ ବଣ୍ଟନ କରୁଛନ୍ତି। ଅଞ୍ଚଳରେ ବୁଲାଗୋରୁ, କୁକୁରଙ୍କ ପାଇଁ ଖୋଲା ସ୍ଥାନରେ ଜଳକୁଣ୍ଡ କରିବା ଆବଶ୍ୟକ ରହିଛି।