Categories: ଜାତୀୟ

ହିନ୍ଦୁ ସଂଗଠନର ଶୋଭାଯାତ୍ରା ପାଇଁ ନୁହରେ କଡ଼ା ସୁରକ୍ଷା

ନୁହ(ହରିୟାଣା),୨୯ା୮: ହରିୟାଣାର ନୁହଠାରେ ସର୍ବଜାତୀୟ ହିନ୍ଦୁ ମହାପଞ୍ଚାୟତ ପକ୍ଷରୁ ‘ଶୋଭାଯାତ୍ରା’ଲାଗି ଆହ୍ବାନ ଦିଆଯାଇଥିବାବେଳେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉକ୍ତ ଅଞ୍ଚଳ ସୁରକ୍ଷା ବଳ ଛାଉଣୀରେ ପରିଣତ ହୋଇଥିବାବେଳେ ଚାରିଆଡ଼ ଖାଁଖାଁ ଲାଗୁଛି। ନୁହରେ ଦଙ୍ଗାନିରୋଧୀ ଯାନ ଏବଂ ଡ୍ରୋନ୍‌ ମୁତୟନ ହୋଇଛି। ନଲ୍‌ହାରସ୍ଥିତ ଶିବମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ସୋମବାର ୧୫ ଜଣ ସନ୍ଥ ଓ ଧର୍ମୀୟ ନେତାଙ୍କୁ ଛଡ଼ାଯାଇଛି। ଜୁଲାଇ ୩୧ ଧର୍ମୀୟ ଶୋଭାଯାତ୍ରା ସାମ୍ପ୍ରଦାୟିକ ସଂଘର୍ଷରେ ପରିଣତ ହେବା ପରେ ଜିଲା କର୍ତ୍ତୃପକ୍ଷ ସୋମବାର ଶୋଭାଯାତ୍ରା ପାଇଁ ଅନୁମତି ଦେଇନାହାନ୍ତି। ତେବେ ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ସ୍ଥାନୀୟ ଲୋକଙ୍କୁ ଅନ୍ୟ ଅଞ୍ଚଳରେ ଥିବା ମନ୍ଦିରରେ ପୂଜା ପାଇଁ ଅନୁମତି ମିଳିଥିଲା। ନୁହକୁ ଯାଉଥିବା କେତେଜଣ ସନ୍ଥଙ୍କୁ ଗୁରୁଗ୍ରାମଠାରେ ପୋଲିସ ଅଟକ ରଖିଛି। ଦିଲ୍ଲୀ-ଗୁରୁଗ୍ରାମ ଜାତୀୟ ରାଜପଥରେ ୫ଟି ବଡ଼ ଚେକ୍‌ ପଏଣ୍ଟ ସ୍ଥାପନ କରାଯାଇଛି। ଏପରିକି ଗଣମାଧ୍ୟମ ଗାଡ଼ିକୁ ମଧ୍ୟ ତୃତୀୟ ଚେକ୍‌ପଏଣ୍ଟ ଟପିବାକୁ ଦିଆଯାଉ ନାହିଁ। ଅଯୋଧ୍ୟାରୁ ଆସିଥିବା ହିନ୍ଦୁ ସନ୍ଥ ଜଗତଗୁରୁ ପରମହଂସ ଆଚାର୍ଯ୍ୟଙ୍କ ଗାଡ଼ିକୁ ସୋହନା ନିକଟବର୍ତ୍ତୀ ଘମ୍ରୋଜ ଟୋଲ୍‌ ପ୍ଲାଜା ନିକଟରେ ଅଟକାଯାଇଛି। ନଲହାର ମନ୍ଦିରରେ ଜଳାଭିଷେକ ଲାଗି ସନ୍ଥ ଓ ତାଙ୍କ ଲୋକମାନେ ସରଯୁ ନଦୀରୁ ଜଳ ଓ ଅଯୋଧ୍ୟା ମାଟି ଆଣିଥିଲେ ବୋଲି କହିବା ସହ ଅଟକ ବିରୋଧରେ ଟୋଲ ପ୍ଲାଜା ନିକଟରେ ଅନଶନରେ ବସିଛନ୍ତି। ସତର୍କତା ପଦକ୍ଷେପ ସ୍ବରୂପ ନୁହ ଜିଲା ପ୍ରଶାସନ ସୋମବାର ଶିକ୍ଷାନୁଷ୍ଠାନ ଓ ବ୍ୟାଙ୍କଗୁଡ଼ିକୁ ବନ୍ଦ ରଖିଥିଲା। ସେହିପରି ମୋବାଇଲ ଇଣ୍ଟରନେଟ୍‌ ସେବା ଏବଂ ଏସ୍‌ଏମ୍‌ଏସ୍‌ ସେବାକୁ ବନ୍ଦ କରିଦିଆଯାଇଛି। ସାମ୍ପ୍ରଦାୟିକ ସମ୍ବେଦନଶୀଳ ଏହି ଜିଲାରେ ୧୪୪ ଧାରା ଜାରି କରାଯାଇଛି। ବାହାର ଲୋକଙ୍କୁ ଜିଲାରେ ପ୍ରବେଶ ବନ୍ଦ କରାଯାଇଛି।

Share