ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର,୫ା୨(ବ୍ୟୁରୋ): ପଶ୍ଚିମାବାୟୁ ପ୍ରବାହ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨ ଦିନ ଧରି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଦିନତମାମ ଆକାଶ ମେଘାଚ୍ଛନ୍ନ ରହିବା ସାଙ୍ଗକୁ କେତେକ ସ୍ଥାନରେ ତୁହାକୁ ତୁହା ବର୍ଷା ହୋଇଛି। ଏପରି କି କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱରରେ ୩୫.୪ ମିଲିମିଟର ବର୍ଷା ହୋଇଥିବା ବେଳେ ଝାରସୁଗୁଡା ୩୦.୫, ଚାନ୍ଦବାଲି ୧୯.୮, ବାରିପଦା ୨୦.୪, କେନ୍ଦୁଝର ୧୫.୫, ସମ୍ବଲପୁର ୧୯.୬, ସୁନ୍ଦରଗଡ଼ ୨୮.୩, ହୀରାକୁଦ ୫.୨ ଏବଂ ତାଳଚେରରେ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଶୁକ୍ରବାର ରାତିରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଭୁବନେଶ୍ୱର, ଯାଜପୁର, ଖୋର୍ଦ୍ଧା ଆଦି ସ୍ଥାନରେ ମଧ୍ୟ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି।
ପଶ୍ଚିମା ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଶୀତ ଗାଏବ ହୋଇ ଯାଇଛି। ଆକାଶ ମେଘାଚ୍ଛନ୍ନ ହେବା ସହ ରାତିର ତାପମାତ୍ରାରେ ବୃଦ୍ଧି ଘଟିଛି। ପାରଦ ୫ରୁ ୭ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ଘଟିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୪ରୁ ୨୧ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହିଛି। ଆସନ୍ତା ସପ୍ତାହେ ଯାଏ ପାଗ ଶୁଖିଲା ରହିବ।