ଜୁନରେ ଘାରିଥିଲା ମରୁଡ଼ି ଆଶଙ୍କା, ଜୁଲାଇରେ ଲଗାଣ ବର୍ଷା; ଉଜୁଡ଼ିବାକୁ ବସିଲା ଧାନ ଚାଷ

ଅମରପାଲି, ୨୯।୭ (ପୀତାମ୍ବର ସାହୁ): ଚଳିତ ଖରିଫ ଋତୁରେ ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର କୃଷି ଅଞ୍ଚଳରେ ପାଗର ଅସ୍ବାଭାବିକ ପରିବର୍ତ୍ତନ ଚାଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଜୁନ ମାସରେ ଆବଶ୍ୟକତାଠାରୁ ବହୁତ କମ ବର୍ଷା ହେବା ସହିତ ବିଗତ ୨୦ ବର୍ଷ ମଧ୍ୟରେ ସର୍ବନିମ୍ନ ବର୍ଷା ରେକର୍ଡ ହୋଇଥିଲା। ଏହା ଯୋଗୁ ଚାଷଜମି କର୍ଷଣ, ଧାନ ବୁଣା ଓ ତଳି ପକାଇବା କାମ ବ୍ୟାପକ ଭାବେ ବିଳମ୍ବିତ ହୋଇଥିଲା। ଅନାବୃଷ୍ଟି ଓ ଏଲ-ନିନୋ ପ୍ରଭାବରେ ମରୁଡ଼ି ଆଶଙ୍କା ଚାଷୀଙ୍କୁ ଘାରିଥିଲା। ମାତ୍ର ଜୁଲାଇ ପହିଲାରୁ ଲଘୁଚାପଜନିତ ଲଗାଣ ବର୍ଷା ଆରମ୍ଭ ହେବା ପରେ ଚାଷୀମାନେ ତରବରିଆ ଭାବେ ଧାନ ବୁଣିବା, ତଳି ପକାଇବା ଓ କପା ଚାଷ ଆରମ୍ଭ କରିଥିଲେ। କିନ୍ତୁ ସମଗ୍ର ଜୁଲାଇ ମାସ ଧରି ଲଗାଣ ବର୍ଷା ଜାରି ରହିବାରୁ ନଈନାଳ, ପୋଖରୀ ଓ ଜଳାଶୟ ପରିପୂର୍ଣ୍ଣ ହୋଇଯାଇଥିବା ବେଳେ ବିସ୍ତୃତ ଚାଷଜମି ଏବେ ଜଳମଗ୍ନ ହୋଇ ରହିଛି। ଏଥିଯୋଗୁ ତଳି ପଚି ନଷ୍ଟ ହେବା ସହ ବୁଣାଯାଇଥିବା ଧାନ ଗଜା ମଧ୍ୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି।
ଜଳବାୟୁ ବିଭାଗର ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲାରେ ଜୁଲାଇ ମାସରେ ସାଧାରଣତଃ ୩୯୨.୯ ମିଲିମିଟର ବର୍ଷା ଆବଶ୍ୟକ ଥିବା ବେଳେ ବୀରମହାରାଜପୁର ବ୍ଲକରେ ଏପର୍ଯ୍ୟନ୍ତ ୧୧୨୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହି ଅତ୍ୟଧିକ ବର୍ଷା ଯୋଗୁଁ ଯେଉଁ ସବୁ ଅଞ୍ଚଳରେ ରୁଆ-ବିହୁଡ଼ା ସରିଛି, ସେହି ଜମିଗୁଡ଼ିକ ମଧ୍ୟ ପାଣିରେ ବୁଡ଼ି ରହିଛି। ଆଗାମୀ ଦିନରେ ବର୍ଷା ଲାଗି ରହିଲେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ରହିଛି।
ବ୍ଲକର ଲୁତୁରପଙ୍କ (ବାବୁପାଲି) ଗ୍ରାମର ଯୁବଚାଷୀ ରାଧାଗୋବିନ୍ଦ ବେହେରା କହିଛନ୍ତି, ଚଳିତ ବର୍ଷ ସେ ୭ ଏକର ଜମିରେ ଧାନ ଚାଷ କରିଛନ୍ତି। ରୁଆ-ବିହୁଡ଼ା କାମ ଆରମ୍ଭ କରିଥିଲେ ମଧ୍ୟ ଲଗାଣ ବର୍ଷା ଯୋଗୁ ସମସ୍ତ ଜମି ଜଳମଗ୍ନ ହୋଇ ରହିଛି। ଫଳରେ ଚାଷ ନଷ୍ଟ ହେବାର ଆଶଙ୍କା ବଢ଼ିଛି। ସେହିପରି ଖଣ୍ଡହତା ଗ୍ରାମର ଚାଷୀ ବ୍ରଜନନ୍ଦ ସାହୁ କହିଛନ୍ତି, ସେ ୧୫ ଏକର ଜମିରେ ଧାନ ଚାଷ କରୁଛନ୍ତି। ଜୁନରେ ବର୍ଷା ଅଭାବରୁ ତଳି ପକାଇ ପାରିନଥିଲେ। ପରେ ଜୁଲାଇରେ ଲଗାଣ ବର୍ଷା ହେବାରୁ ସେମାନେ ତିନିଥର ତଳି ପକାଇଥିଲେ ମଧ୍ୟ ସବୁ ପଚି ନଷ୍ଟ ହୋଇଯାଇଛି। ଏବେ ଚତୁର୍ଥ ଥର ପାଇଁ ତଳି ପକାଇଥିଲେ ମଧ୍ୟ ଜମିରୁ ପାଣି ନ କମିବାରୁ ପୁଣି ତଳି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଚଳିତ ବର୍ଷ ଚାଷ କାର୍ଯ୍ୟ ବହୁତ ବିଳମ୍ବ ହୋଇଥିବା ସେ କହିଛନ୍ତି। ଅମରପାଲି ଗ୍ରାମର ଚାଷୀ ଜ୍ଞାନରଞ୍ଜନ ସାହୁ କହିଛନ୍ତି, ପ୍ରଥମେ ଅନାବୃଷ୍ଟି ଓ ପରେ ଲଗାଣ ବର୍ଷା ଯୋଗୁଁ ଧାନ ଓ କପା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। କୃଷି ବିଭାଗ ତୁରନ୍ତ କ୍ଷୟକ୍ଷତିର ଆକଳନ କରିବା ସହ ସରକାର କ୍ଷତିପୂରଣ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ଅନେକ ଚାଷୀଙ୍କ ଫସଲ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ କୃଷି ବିଭାଗ ପକ୍ଷରୁ କୌଣସି କ୍ଷେତ୍ର ପରିଦର୍ଶନ କିମ୍ବା କ୍ଷୟକ୍ଷତିର ତଦନ୍ତ କରାଯାଉ ନଥିବାରୁ ଚାଷୀମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଲଗାଣ ବର୍ଷା ଆହୁରି କିଛିଦିନ ଜାରି ରହିଲେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବାର ସମ୍ଭାବନା ଥିବାରୁ କୃଷି ବିଭାଗ ପକ୍ଷରୁ ତୁରନ୍ତ ପରାମର୍ଶ, କ୍ଷୟକ୍ଷତିର ସର୍ଭେ ଓ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ଚାଷୀମାନେ ଦାବି କରିଛନ୍ତି।

Odisha’s No.1 Odia Daily