ଚିତ୍ରକୋଣ୍ଡାରେ ପ୍ରବଳ ବର୍ଷା, ବଢୁଛି ଜଳସ୍ତର

ଚିତ୍ରକୋଣ୍ଡା,୧୯ା୭(କ୍ଷୀରୋଦ କୁମାର ବେହେରା): ମାଲକାନଗିରି ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ୪ଦିନ ହେଲା ଲାଗିରହିଥିବା ବେଳେ ଚିତ୍ରକୋଣ୍ଡାରେ ଆଶାନୁରୂପ ଭାବରେ ମଧ୍ୟମ ଧରଣର ବର୍ଷା ଲାଗିରହିଥିଲା। ମାତ୍ର ମଙ୍ଗଳବାର ରାତିରୁ ଚିତ୍ରକୋଣ୍ଡାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ବେହାଲ ହୋଇପଡ଼ିଛି ଚିତ୍ରକୋଣ୍ଡା। ଲଗାଣ ବର୍ଷା ଯୋଗୁ ବାହାରକୁ ବାହାରିବା କଷ୍ଟ ହୋଇ ପଡିଛି l ଚିତ୍ରକୋଣ୍ଡାରେ ୨୧୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ତଥ୍ୟ ମିଳିଛି l ଚିତ୍ରକୋଣ୍ଡା ଡ୍ୟାମରେ ଯଦିଓ ବେଶୀ ଜଳ ବୃଦ୍ଧି ହୋଇନାହିଁ। ତଥାପି ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ସକାଳ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ୧୪୫୭.୭୦ ଫୁଟରେ ପହଞ୍ଚିଛି। ସେହିପରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଅତ୍ୟଧିକ ବର୍ଷା ହୋଇ ପଣଷପୁଟ ପଞ୍ଚାୟତ ବେଜିଙ୍ଗ ବ୍ରିଜ୍‌ ଉପରେ ୫ ଫୁଟର ପାଣି ଯାଉଥିବା ଦେଖିବାକୁ ମିଳିଛି। ଫଳରେ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନକୁ ଯାତାୟାତ ଠପ୍‌ ହୋଇଯାଇଛି।