ଭୁବନେଶ୍ୱର, ୫ା୯(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାବେଳେ ଟ୍ରପ୍ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆହୁରି ୨୪ଘଣ୍ଟା ଧରି ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ସାରା ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ନିଂ ଜାରି ହୋଇଛି। ଆସନ୍ତା ୯ ତାରିଖ ଯାଏ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି ହୋଇଥିବା ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
ଗତ ୨୪ ଘଣ୍ଟାରେ ବରଗଡ଼ ଜିଲା ପଦମପୁର ଅଞ୍ଚଳରେ ସର୍ବାଧିକ ୮.୮ ସେମି ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା ଝାରସୁଗୁଡା, ବାଲେଶ୍ବର, ଭଦ୍ରକ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ସୁନ୍ଦରଗଡ, ଦେବଗଡ ଆଦି ଜିଲାର ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଓ ସଂଲଗ୍ନ ପୂର୍ବ ରାଜସ୍ଥାନ ଉପରେ ଥିବା ଲଘୁଚାପ କ୍ଷେତ୍ର ଦେଇ ମୌସୁମୀଜନିତ ନିମ୍ନଚାପରେଖା ଗତି କରୁଛି। ଏହା ପ୍ରଭାବରେ ଆଉ ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି।


