କୁଆଁରମୁଣ୍ଡା,୧୪।୭(ମହେନ୍ଦ୍ର କୁମାର ସାହୁ)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପପ୍ରଭାବରେ ସୁନ୍ଦରଗଡ ଜିଲାରେ ବାଦଲ ଫଟା ବର୍ଷା ହୋଇଛି। ଏଥିରେ ବଣ, ପାହାଡ଼ ଘେରା କୁଆଁରମୁଣ୍ଡା ବ୍ଲକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଅନେକ ଗ୍ରାମ ଜଳବନ୍ଦୀ ହୋଇ ରହିଛି ।
ପାହାଡି ନାଳ ଫୁଲି ଗାଁରେ ପାଣି ପଶିଥିବା ବେଳେ ରାଜପଥରେ ଆଣ୍ଠୁଏ ଉପରେ ପାଣି ପ୍ରବାହିତ ହେଉଛି। ଏନେଇ ଉସ୍ରା ବ୍ରାହ୍ମଣ ବସ୍ତିର ସୁକାନ୍ତ କୁମାର ଶତପଥୀ କହିଛନ୍ତି, ସୋମବାର ସକାଳ ସାଢ଼େ ୭ଟାରେ ନାଳ ପାଣି ପଶିଛି। ଏହାଦ୍ବାରା ଘରର ବହୁ ସରଞ୍ଜାମ ନଷ୍ଟ ହୋଇଛି। ସେହିପରି ଅର୍ଜୁନ ସାହୁ, ମଙ୍ଗଳା କୁଜୁରଙ୍କ ଘରେ ପାଣି ପଶିଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷେ ଲଗାଣ ବର୍ଷା ଯୋଗୁ ଆଶା କର୍ମୀ ସ୍ନେହଲତା ମାଝୀଙ୍କ ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି। ଏପରିକି କୁଆଁରମୁଣ୍ଡା ତଲବସ୍ତି ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ଅଢେଇ ଫୁଟ ଉଚ୍ଚ ପାଣି ପ୍ରବାହିତ ହେଉଥିବାରୁ ବାଇକ୍ ଯାତାୟତରେ ଅସୁବିଧା ହେଉଛି।
ରାଜପଥ ଉପରେ ସ୍ଥାନୀୟ ଲୋକେ ଜାଲ ଧରି ମାଛ ମାରୁଛନ୍ତି। ଜଳ ସ୍ରୋତ ପ୍ରଖର ଥିବାରୁ ଅଧିକ ପାଣିକୁ ଯାଇ ଜାଲ ନ ପକାଇବାକୁ କୁଆଁରମୁଣ୍ଡା ଜିଲା ପରିଷଦ ସଭ୍ୟ ରାଜେନ୍ଦ୍ର କୁଜୁର ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
ଏ ନେଇ କୁଆଁରମୁଣ୍ଡା ତହସିଲଦାର ଚନ୍ଦ୍ରଜିତ ବେହେରାଙ୍କୁ ଯୋଗାଯୋଗ କରାଯିବାରୁ ବର୍ଷା ଜନିତ କ୍ଷୟକ୍ଷତି ନେଇ ଘଟଣାସ୍ଥଳ ପରିଦର୍ଶନ କରି ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


