ଗଞ୍ଜାମ,୨୮।୧୦(ବିଦ୍ୟାଧର ସାହୁ ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ଗତ ଦୁଇଦିନ ହେବ ଏହି ଲଗାଣ ବର୍ଷା ସାଙ୍ଗକୁ ଅତ୍ୟଧିକ ପବନ ଯୋଗୁଁ ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ବେଳକୁ ବେଳ ପବନର ବେଗ ମଧ୍ୟ ବୃଦ୍ଧି ପାଉଥିବା ଜଣା ପଡିଛି । ଏଥିସହ ଉପର ମୁଣ୍ଡରେ ବନ୍ୟା ପରିସ୍ଥିତି ଯୋଗୁଁ ଋଷୁକୂଲ୍ୟା ନଦୀ ଜଳ ସ୍ତର ବୃଦ୍ଧି ପାଇଛି ।
ସ୍ଥାନୀୟ ଅଞ୍ଚଳରେ ଚାଷ ଜମିରେ ଧାନ ପୁଡା ଧରୁଥିବା ବେଳେ ଅଧିକ ପବନ ଓ ବର୍ଷା ଯୋଗୁଁ ନିଶ୍ଚିତ କ୍ଷତି ଗ୍ରସ୍ତ ହେବ ବୋଲି କାଇଁଚପୁର ଅଞ୍ଚଳର ଚାଷୀ ତଥା ପୂର୍ବତନ ସରପଞ୍ଚ ଗୋବିନ୍ଦ ରେଡି କହିଛନ୍ତି । ଅନ୍ୟପଟେ ଗତ ମାସରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ପନିପରିବା ଚାଷୀ କ୍ଷତି ସହିଥିବା ବେଳେ ଚଳିତ ବର୍ଷା ଓ ପବନରେ ପନିପରିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ଆଲୋଚନା ହେଉଛି । ବ୍ଲକ ପ୍ରଶାସନ ପକ୍ଷରୁ ସମୁଦ୍ର କୂଳ ନିକଟବର୍ତ୍ତୀ ଅଞ୍ଚଳର 187 ଜଣ ଲୋକଙ୍କୁ ବିଭିନ୍ନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି ବୋଲି ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ କହିଛନ୍ତି ।
ବ୍ଲକର 29 ଟି ବାତ୍ୟା ଆଶ୍ରୟ ସ୍ଥଳ ଜରୁରୀ କାଳିନ ପରିସ୍ଥିତିରେ ଲୋକଙ୍କୁ ବାତ୍ୟା ସମୟରେ ଥଇଥାନ କରିବା ପାଇଁ ପ୍ରସ୍ତୁତ କରି ରଖା ଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି । କ୍ଷତିଗ୍ରସ୍ତ ପନିପରିବା ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୁରଣ ଯୋଗାଇ ଦେବାକୁ ଗଞ୍ଜାମ ଯୁବ ବିଜେଡି ସଭାପତି ସୁଧୀର କୁମାର ପାଢ଼ୀ ଦାବି କରିଛନ୍ତି ।