ବର୍ଷାରେ ଅସ୍ତବ୍ୟସ୍ତ ଅନୁଗୋଳ

ଅନୁଗୋଳ ଅଫିସ, ୨୦ା୮: ଭୋର୍‌ ସମୟରୁ ଜାରି ରହିଛି ଭୀଷଣ ବର୍ଷା। ବିଜୁଳି, ଘଡ଼ଘଡ଼ି ସହ ତୁହାକୁ ତୁହା ବର୍ଷାରେ ଶୁକ୍ରବାର ଅସ୍ତବ୍ୟସ୍ତ ହୋଇପଡ଼ିଛି ଅନୁଗୋଳ। ଜିଲାରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିବାବେଳେ ଅନୁଗୋଳ ସହରରେ ସୃଷ୍ଟି ହୋଇଛି ଜଳବନ୍ଦୀ ଅବସ୍ଥା। ବିଶେଷକରି ଡ୍ରେନେ୍‌ଜ ବ୍ୟବସ୍ଥା ଠିକ୍‌ ନ ଥିବାରୁ ହନ୍ତସନ୍ତ ହୋଇଛନ୍ତି ପୌରାଞ୍ଚଳବାସୀ। ସହର ବଜାରଠାରୁ ଆରମ୍ଭ କରି ବିଭିନ୍ନ କଲୋନୀ, ସାହି ପାଣି ଘେରରେ ରହିଛି। ଅନେକଙ୍କ ଘରେ ବର୍ଷା ପାଣି ପଶିଯାଇଥିବା ଦେଖିବାକୁ ମିଳିଛି। ସ୍ଥିତି ସୁଧାରିବା ପାଇଁ ପୌର ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଡ୍ରୋଜର ସାହାଯ୍ୟରେ କେଉଁଠି ରାସ୍ତା ତ କେଉଁଠି ଡ୍ରେନ୍‌ ଖୋଳାଯାଇ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉଛି।
ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ଅନୁଗୋଳ ଜିଲା ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି ହୋଇଥିଲା। ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଥିଲା। ବିଭାଗର ଉକ୍ତ ଆକଳନ ଅନୁଯାୟୀ ଭୋର୍‌ ସମୟରୁ ବର୍ଷା ଆରମ୍ଭ ହୋଇଯାଇଥିଲା। ମଧ୍ୟାହ୍ନରେ କିଛି ସମୟ ପାଇଁ ଛାଡ଼ିଥିଲେ ବି ପରେ ପୁଣି ବର୍ଷିଥିଲା। ଅନୁଗୋଳରେ ହୋଇଥିବା ୧୩୩ ମିଲିମିଟର ବର୍ଷା ଯୋଗୁ ସହର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ପାଣି ଜମି ରହିଥିଲା। ବିଶେଷକରି ଅନୁଗୋଳ ବଜାର ସହ ବ୍ରହ୍ମଣୀଦେଈପଡା, ଶଙ୍କର ସିନେମା ରୋଡ୍‌, ଅମଲାପଡା, ସୌଭାଗ୍ୟନଗର, ମିଶ୍ରପଡା, ବଣିଆବାହାଳ, ଶିମିଳିପଡା, କଲେଜଛକ, ଡିଆଇସି ଛକ ଆଦି ଅଞ୍ଚଳରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। କଲେଜଛକ ଅଞ୍ଚଳରେ ଏକ ପୋଖରୀ ପାଣି ବନ୍ଧ ଡେଇଁ ଲୋକଙ୍କ ଘରେ ପଶିଯାଇଥିଲା। ଏ ନେଇ ପୌରପାଳିକାକୁ ଘନ ଘନ ଫୋନ କଲ୍‌ ଆସିଥିଲେ ହେଁ ପ୍ରଶାସନ ଉପୁଜିଥିବା ସଙ୍କଟର ସମାଧାନ କରିପାରି ନ ଥିଲା। ତଥାପି ଡ୍ରୋଜର ଧରି ପ୍ରଶାସନିକ ଅଧିକାରୀମାନେ ସହରରେ ବୁଲି ବୁଲି ଜଳ ନିଷ୍କାସନର ବ୍ୟବସ୍ଥା କରୁଥିବା ଦେଖାଯାଇଥିଲା। ଅନ୍ୟପକ୍ଷରେ ସହରରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଅବସ୍ଥା ପାଇଁ ପୌର ପ୍ରଶାସନ ଉପରେ ଭୀଷଣ ବିରକ୍ତ ହୋଇଛନ୍ତି ଲୋକେ। ବର୍ଷସାରା ଡ୍ରେନ୍‌ ଜବରଦଖଲରେ ରହିଥିବାବେଳେ କର୍ତ୍ତୃପକ୍ଷ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି। ସହରରୁ ବର୍ଷା ପାଣି କେମିତି ନିଷ୍କାସନ ହୋଇପାରିବ ସେ ନେଇ ଉପଯୁକ୍ତ ପ୍ଲାନିଂ କରାଯାଉ ନାହିଁ। ବର୍ଷା ଆସିଲେ ସ୍ଥିତିକୁ ଦେଖି ଡ୍ରେନ୍‌ ମରାମତି କରାଯିବ ବୋଲି କୁହାଯାଇଥିଲେ ମଧ୍ୟ ତାହା ଏଯାଏ କରାଯାଉ ନାହିଁ। ଫଳରେ ସହରରେ ସୃଷ୍ଟି ହୋଇଥିବା ଏପରି ଅବସ୍ଥା ପାଇଁ ପୌର କର୍ତ୍ତୃପକ୍ଷ ଦାୟୀ ବୋଲି ପୌରାଞ୍ଚଳବାସୀ ଅଭିଯୋଗ କରିଛନ୍ତି।