ଢେଙ୍କାନାଳ ଜିଲାରେ ପ୍ରବଳ ବର୍ଷା: ୨୪ ଘଣ୍ଟାରେ ୩୭୩ ମି.ମି. ବର୍ଷିଲା

କାମାକ୍ଷାନଗର,୧୨।୯(ଡି.ଏନ୍‌.ଏ.): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଢେଙ୍କାନାଳ ଜିଲାରେ ପ୍ରବଳ ବର୍ଷା ହୋଇଛି। ଶନିବାର ଅପରାହ୍ନରୁ ରବିବାର ସକାଳ ପର୍ଯ୍ୟନ୍ତ ହୋଇଥିବା ଅବିଶ୍ରାନ୍ତ ବର୍ଷାରେ ବେହାଲ ହୋଇଛି ଜୀବନଯାତ୍ରା। ଜିଲା ଜରୁରୀ ଓ ଆପାତକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳ ସାଢ଼େ ୮ଟା ସୁଦ୍ଧା କେବଳ ଢେଙ୍କାନାଳ ସହର ସମେତ ଆଖପାଖ ଅଞ୍ଚଳରେ ୧୫୪ ମି.ମି. ବର୍ଷା ରେକର୍ଡ କରାଯାଇଛି। ବ୍ଲକଓ୍ବାରି ଦେଖିଲେ ଭୁବନରେ ସର୍ବାଧିକ ୧୦୨ ମି.ମି. ଏବଂ ପରଜଙ୍ଗରେ ସର୍ବନିମ୍ନ ୧୩ ମି.ମି. ବର୍ଷା ହୋଇଛି। ସେହିପରି ସଦର ବ୍ଲକରେ ୭୨.୨, ଗଁଦିଆ ବ୍ଲକରେ ୭୫, ଓଡ଼ାପଡ଼ାରେ ୧୬, ହିନ୍ଦୋଳରେ ୪୪, କାମାକ୍ଷାନଗରରେ ୨୫.୩ ଏବଂ କଙ୍କଡ଼ାହାଡ଼ ବ୍ଲକରେ ୨୧.୪ ମିଲିମିଟର ବର୍ଷିଛି। ଅପରପକ୍ଷେ, ଲଘୁଚାପଜନିତ ବର୍ଷା ଯୋଗୁ ବ୍ରାହ୍ମଣୀରେ ଜଳପତ୍ତନ ବୃଦ୍ଧି ପାଇଛି। ଏ ନେଇ ଜିଲା ମୁଖ୍ୟ କୃଷି ଅଧିକାରୀ ଅଂଶୁମାନ ପଟ୍ଟନାୟକ କୁହନ୍ତି, ଜିଲାରେ ମୋଟ ୩୭୩.୯ ମିଲିମିଟର ବର୍ଷା ହୋଇଛି। ବ୍ରାହ୍ମଣୀରେ ପାଣି ଆସିଛି ା ଅଦ୍ୟାବଧି ଚାଷୀ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ନାହିଁ। ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ଅନୁଧ୍ୟାନ ଜାରି ରହିଛି।