ଦାରିଙ୍ଗବାଡ଼ିରେ ତୁହାକୁ ତୁହା ବର୍ଷା: ବଜାରଘାଟ ଜନଶୂନ୍ୟ

ଦାରିଙ୍ଗବାଡ଼ି, ୨୮।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଛି। କୋହଲା ପବନ ସାଙ୍ଗକୁ ଲଗାତାର ବର୍ଷା ଯୋଗୁ ଅଞ୍ଚଳରେ ଶୀତର ପ୍ରକୋପ ବଢ଼ିଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ବଜାର ଘାଟରେ ଜନଗହଳି ଦେଖିବାକୁ ମିଳୁନାହିଁ।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରୁ ବାତ୍ୟାର ପ୍ରଭାବରେ ବର୍ଷା ସହ ପ୍ରବଳ ପବନ ବହିଥିଲା। ସକାଳେ କିଛି ସମୟ ପାଇଁ ବର୍ଷା ଓ ପବନର ତୀବ୍ରତା କମିଥିଲେ ମଧ୍ୟ ପୁଣି ସକାଳ ୧୦ଟାରୁ ବର୍ଷା ସହ ଝଟକା ପବନ ଆରମ୍ଭ ହୋଇଥିଲା। ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ବର୍ଷା ଓ ପାଗର ସ୍ଥିତିକୁ ଦୃଷ୍ଟିରେ ରଖି ୫୯ ନମ୍ବର ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ରାସ୍ତାକୁ ଦ୍ୱିତୀୟ ଦିନ ପାଇଁ ମଧ୍ୟ ବନ୍ଦ ରଖାଯାଇଛି। ଏହା ଫଳରେ ଏହି ରାସ୍ତା ଦେଇ ରାୟପୁରରୁ ଗୋପାଳପୁରକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏଥିସହ ଦାରିଙ୍ଗବାଡ଼ିରୁ ସୋରଡ଼ା, ଭଞ୍ଜନଗର, ବ୍ରହ୍ମପୁର ଓ ଭୁବନେଶ୍ୱର ଅଭିମୁଖେ ଏହି ରାସ୍ତା ଦେଇ ଗାଡ଼ିମୋଟର ଚଳାଚଳ କରୁନାହିଁ। ଯାତାୟାତ ବନ୍ଦ ଓ ଲଗାତାର ବର୍ଷା ଯୋଗୁ ବଜାରରେ ଲୋକଙ୍କ ଭିଡ଼ କମିଯାଇଛି। ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରୁନାହାନ୍ତି।
ଅନ୍ୟପକ୍ଷରେ ବାତ୍ୟାର ପ୍ରଭାବରେ ଅତି ପ୍ରବଳ ପବନ ବହିବାର ଆଶଙ୍କା ଦୂର ହୋଇଥିବା ବେଳେ ଏଯାଏଁ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ ବୋଲି ଦାରିଙ୍ଗବାଡ଼ି ତହସିଲଦାର ଧୀରଜ ପାତ୍ର କହିଛନ୍ତି।

ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏଡିଓମାନେ ଉପସ୍ଥିତ ରହି ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ଏହି ସମସ୍ତ ବ୍ୟବସ୍ଥାର ତଦାରଖ ବିଡିଓ ପ୍ରୀତିରଞ୍ଜନ ରଥ କରୁଛନ୍ତି। ବିଡିଓଙ୍କ କହିବା ଅନୁଯାୟୀ, ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ବ୍ଲକ ପ୍ରଶାସନ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

Dharitri – Odisha’s No.1 Odia Daily

 

Share