ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର ଜଳଭଣ୍ଡାର ନିକଟବର୍ତ୍ତୀ ଅଞ୍ଚଳବାସୀଙ୍କୁ ସତର୍କ କରାଯାଇଛି। ଏନେଇ ଜଳସେଚନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ସୂଚନା ଅନୁଯାୟୀ, ଆଗାମୀ ୨୨ ତାରିଖରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ଯେକୌଣସି ସମୟରେ ପୂର୍ଣ୍ଣ ଜଳଧାରଣ ସ୍ତରରେ ପହଞ୍ଚିପାରେ। ଏପରି ସ୍ଥିତି ଉପୁଜିଲେ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଇପାରେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେଣୁ ଜଳଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ୨୨/୯/୨୦୨୬ ଠାରୁ ୨୪/୯/୨୦୨୬ ପର୍ଯ୍ୟନ୍ତ ଭଞ୍ଜନଗର ଜଳଭଣ୍ଡାର ନିକଟସ୍ଥ ନଦୀପଠା, ତଳିଆ ଅଞ୍ଚଳ ଓ ଜଳ ନିଷ୍କାସନ ପଥରେ ନ ଯିବାକୁ ଏବଂ ସମସ୍ତେ ସତର୍କ ରହିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। କୌଣସି ଦୁର୍ଘଟଣା ଘଟିଲେ ପ୍ରଶାସନ ଦାୟୀ ରହିବ ନାହିଁ ବୋଲି ସତର୍କ କରାଯାଇଛି। ଏଥିସହ ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଦେଖି ଜଳସମ୍ପଦ ବିଭାଗ ପକ୍ଷରୁ ବାଲି ବସ୍ତା ବିଭିନ୍ନ ସ୍ଥାନରେ ମହଜୁଦ ରଖାଯାଇଛି। ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର ଏଠାରେ ସୂଚନା ଦେଇଛନ୍ତି। ମାଇକ୍ ଦ୍ୱାରା ଲୋକଙ୍କୁ ସଚେତନତା କରାଯାଉଛି।