କେନ୍ଦ୍ରୀୟ ଗାଜାରେ ଜୋର୍‌ଦାର ଆକ୍ରମଣ

ଡେଇର୍‌ ଅଲ୍‌-ବଲାହ,୩୧।୧୨(ପି.ଟି.): କେନ୍ଦ୍ରୀୟ ଗାଜାରେ ଇସ୍ରାଏଲ୍‌ ସେନା ଆକ୍ରମଣକୁ ଜୋର୍‌ଦାର କରିଛି। ଏଥିରେ ଶତାଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିବା ସହ ୧୫୮ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ରାତିରେ ଓ୍ବେଷ୍ଟ ବ୍ୟାଙ୍କରେ ଚଢ଼ାଉ କରି ଇସ୍ରାଏଲ୍‌ ସୈନ୍ୟ ୧୪ ଜଣଙ୍କୁ ଅଟକ ରଖିଛନ୍ତି। ଶନିବାର କେନ୍ଦ୍ରୀୟ ଗାଜାର ଜାଓ୍ବେଦା ଅଞ୍ଚଳରେ ଇସ୍ରାଏଲ୍‌ ପ୍ରବଳ ବୋମାମାଡ଼ କରିଛି। ଏହି ଆକ୍ରମଣରେ ବହୁ ଘର ଧ୍ୱଂସ ହୋଇଥିବାବେଳେ ଭଗ୍ନାବଶେଷ ତଳୁ ମୃତାହତଙ୍କୁ ଉଦ୍ଧାର କରାଯାଉଛି। ଅନେକ ଷ୍ଟାଡିୟମ, ସ୍ପୋର୍ଟ୍‌ସ କ୍ଲବ୍‌କୁ ଇସ୍ରାଏଲ୍‌ ସେନା ଟାର୍ଗେଟ କରିବା ସହ ସେଥିରୁ କେତେକକୁ ଅଟକ, ନିର୍ଯାତନା ଓ ଦଣ୍ଡ କେନ୍ଦ୍ରରେ ପରିଣତ କରିଛି। ଶନିବାର ୨ଟି ସହରାଞ୍ଚଳ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ୍‌ ଯୁଦ୍ଧବିମାନ ବୋମାମାଡ଼ କରିଥିଲା।
ଗାଜା ଉପରେ ଇସ୍ରାଏଲ୍‌ର ଆକ୍ରମଣ ଜାରି ରହିଥିବାବେଳେ ୨୦ ହଜାରରୁ ଊର୍ଦ୍ଧ୍ୱ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଲାଣି। ଜନସଂଖ୍ୟାର ୮୫ ପ୍ରତିଶତ ଘରଦ୍ୱାର ଛାଡ଼ି ପଳାଇଗଲେଣି। ଯେଉଁମାନେ ରହିଯାଇଛନ୍ତି, ସେମାନେ ଖାଦ୍ୟ, ପାନୀୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ନ ପାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଆତଙ୍କ ମଧ୍ୟରେ ବଞ୍ଚତ୍ରହିଛନ୍ତି। ତୁରନ୍ତ ଯୁଦ୍ଧ ବନ୍ଦ ଲାଗି ଅନ୍ତର୍ଜାତୀୟ ସ୍ତରରେ ଚାପ ବଢ଼ୁଥିବା ସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇସ୍ରାଏଲ୍‌କୁ ଅଧିକ ଅସ୍ତ୍ର ବିକ୍ରି କରିବା ଲାଗି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ହମାସ୍‌ ଆତଙ୍କବାଦୀ ମୂଳପୋଛ ନ ହେବା ପର୍ଯ୍ୟନ୍ତ ଅଭୂତପୂର୍ବ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ୍‌ କହିଛି। ତେବେ ପାଲେଷ୍ଟିନୀୟ ସମାଜରେ ହମାସ୍‌ ଆତଙ୍କବାଦୀଙ୍କ ଚେର ବହୁ ଗଭୀରକୁ ଯାଇଥିବାରୁ ସେମାନଙ୍କୁ ମୂଳପୋଛ କରିବା ସମ୍ଭବ ହୋଇ ନ ପାରେ ବୋଲି କେତେ ଜଣ କହିଛନ୍ତି। ଅନ୍ୟପକ୍ଷରେ ଇସ୍ରାଏଲ୍‌କୁ ଆମେରିକା କୂଟନୈତିକ ସ୍ତରରେ ସହଯୋଗ ଯୋଗାଇଦେବା ସହ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରଖିଛି। ଇସ୍ରାଏଲ୍‌ର ଯୁକ୍ତି ହେଲା, ଏବେ ଯୁଦ୍ଧ ବନ୍ଦକଲେ ତାହା ହମାସ୍‌ର ବିଜୟ ହେଲା ବୋଲି ବିବେଚନା କରାଯିବ। ପାଲେଷ୍ଟିନୀୟ ନାଗରିକଙ୍କର କ୍ଷତି ନ ହେବା ଭଳି ପଦକ୍ଷେପ ନେବାକୁ ଆମେରିକା ଇସ୍ରାଏଲ୍‌କୁ ଅନୁରୋଧ କରିଛି।

Share