ନୂଆଦିଲ୍ଲୀ, ୨୩ା୫:ଭାରତ ଭଳି ଏକ କ୍ରମବର୍ଦ୍ଦିଷ୍ଣ ଅର୍ଥନୈତିକ ରାଷ୍ଟ୍ରରେ ବିଭିନ୍ନ କ୍ଷେତ୍ରର ସମ୍ପ୍ରସାରଣ କରାଯାଉଥିବାବେଳେ ଡିଜିଟାଲ ବ୍ୟବସ୍ଥାର ଭିତ୍ତିଭୂମି ବୃଦ୍ଧି ଦେଶକୁ ବିଭିନ୍ନ ଦିଗରେ ରୂପାନ୍ତରିତ କରିଛି। ବିଶେଷକରି ଡିଜିଟାଲ ଇକୋନୋମୀ ଜାତୀୟ ଅର୍ଥନୀତିର ପ୍ରମୁଖ ଆଧାର ହୋଇଛି। ଏହିକ୍ରମରେ ଭାରତ ଏବେ ଡିଜିଟାଲ ଗଭର୍ନାନ୍ସଠାରୁ ଆରମ୍ଭ କରି ଇ-କମର୍ସ, ଫିନ୍ଟେକ୍, କ୍ଲାଉଡ୍ କମ୍ପ୍ୟୁଟିଂ ଏବଂ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରର ଭିତ୍ତିଭୂମି ସମ୍ପ୍ରସାରଣ କରି ବୈଶ୍ୱିକ ଧାରା ସହ ପ୍ରତିଦ୍ୱନ୍ଦ୍ୱିତାମୂଳକ ଭାବେ କାର୍ଯ୍ୟ କରି ନିଜକୁ ସୁପ୍ରତିଷ୍ଠିତ କରିବାକୁ ଉଦ୍ୟମ କରୁଛି। କିନ୍ତୁ ଗ୍ରୀଷ୍ମକାଳରେ ଦେଶର ତାପମାତ୍ରାକୁ ନେଇ ଯେଭଳି ସ୍ଥିତି ସୃଷ୍ଟି ହୋଇଛି ତାହାକୁ ବିଚାରକଲେ ଉପରୋକ୍ତ କ୍ଷେତ୍ରଗୁଡିକରେ କାର୍ଯ୍ୟ କରିବା ଅତ୍ୟନ୍ତ କଷ୍ଟସାଧ୍ୟ କିମ୍ବା ବ୍ୟୟବହୁଳ ହୋଇପଡ଼ିବ ବୋଲି ଆକଳନ କରାଯାଇଛି। ଏଭଳି ସ୍ଥିତିରେ ଭାରତ ଅନ୍ୟ ଦେଶମାନଙ୍କ ସହ ପ୍ରତିଦ୍ୱନ୍ଦିତା କରି ନିଜକୁ କିଭଳି ପ୍ରତିଷ୍ଠା କରିବ ବୋଲି ପ୍ରଶ୍ନ ଉଠିଛି। ଚଳିତବର୍ଷ ଦେଶର ଉତ୍ତର , ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଭାଗରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବା ସହ ସାଧାରଣ ଜୀବନଯାତ୍ରା ଅସହ୍ୟ କରିଦେଇଛି। ଗୁରୁବାର ସୁଦ୍ଧା ଆସିଥିବା ଏକ ସର୍ବଶେଷ ରିପୋର୍ଟ ଅନୁସାରେ ବିଶ୍ୱର ୧୦୦ଟି ଉତ୍ତପ୍ତ ସହର ମଧ୍ୟରୁ ୯୦ରୁ ଅଧିକ ସହର କେବଳ ଭାରତରେ ରହିଛି। ଉତ୍ତର ଭାରତର ଅନେକ ସହରର ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିଥିଲାବେଳେ କେତେକ ସ୍ଥାନରେ ତାପମାତ୍ରା ୪୮ ଡିଗ୍ରୀ ଛୁଇଁଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସଂସଦରେ ରଖିଥିବା ତଥ୍ୟ ଅନୁସାରେ ୨୦୨୩ରେ ସାରା ଦେଶରେ ୨୩୦ ଗ୍ରୀଷ୍ମ ପ୍ରବାହ ହୋଇଥିଲା। ଏହି ସଂଖ୍ୟା ୨୦୨୪ରେ ୫୫୪ରେ ପହଞ୍ଚିଥିଲାବେଳେ୨୦୨୫ରେ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। କିନ୍ତୁ ଚଳିତବର୍ଷ ଗ୍ରୀଷ୍ମପ୍ରବାହ ସବୁ ଅତୀତ ରେକର୍ଡକୁ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଏଭଳି ସ୍ଥିତିରେ ଭାରତ ଡାଟା ସେଣ୍ଟର ପ୍ରତିଷ୍ଠାକରି ଏଆଇ ଦିଗରେ କିଭଳି ଅଗ୍ରସର ହେବ ବୋଲି ପ୍ରଶ୍ନ ଉଠିଛି।
ଏବେ ଦେଶର ବିଭିନ୍ନ ଭାଗରେ ଡାଟା ସେଣ୍ଟର ଇକୋସିଷ୍ଟମ୍ର ସମ୍ପ୍ରସାରଣ କାର୍ଯ୍ୟ କରାଯାଉଛି। କିନ୍ତୁ ଗ୍ରୀଷ୍ମକାଳରେ ଏହାକୁ ଶୀତଳ ରଖିବାକୁ ଯେଭଳି ବ୍ୟବସ୍ଥା କରିବାକୁ ପଡ଼ିବ ତାହା ଅତ୍ୟନ୍ତ ବ୍ୟୟବହୁଳ ହେବ। ଅର୍ଥାତ୍ ଡାଟା ସେଣ୍ଟରଗୁଡିକ ପାଇଁ ଅଧିକ ବିଦ୍ୟୁତ ଶକ୍ତିର ଆବଶ୍ୟକତା ପଡ଼ବା ସହିତ ପର୍ଯ୍ୟାପ୍ତ ଜଳ ଏବଂ ପରିଚାଳନାଗତ ବ୍ୟୟ ମଧ୍ୟ ବଢିବ। ବର୍ତ୍ତମାନ ସୁଦ୍ଧା ଭାରତରେ କାର୍ଯ୍ୟ କରୁଥିବା ଡାଟା ସେଣ୍ଟରଗୁଡିକର ବିଦ୍ୟୁତ୍ ଚାହିଦା ୧୫୦୦ ମେଗାଓ୍ବାଟ୍ ରହିଥିଲାବେଳେ ୨୦୩୦ ସୁଦ୍ଧା ଏହା ୬.୫ ଜିଗାଓ୍ବାଟ୍ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। କିନ୍ତୁ ଏକ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନୀଙ୍କ ପରିଚାଳନାଗତ ବ୍ୟୟ ବୃଦ୍ଧି ଏବଂ ଅଧିକ ବିଦ୍ୟୁତ ଉପଯୋଗଜନିତ ଖର୍ଚ୍ଚ ବଢିଲେ ଭାରତରେ ନିବେଶ କରୁଥିବା କମ୍ପାନୀ କାର୍ଯ୍ୟ କରିବାକୁ ଆଗ୍ରହୀ ହେବେ କି ନା ତାହା ପ୍ରଶ୍ନବାଚୀ ହୋଇଛି।‘