ସିଡନୀ ରାସ୍ତାରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ପାଟ୍ କମିନ୍ସ-ପତ୍ନୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ; ଭିଡିଓ ଭାଇରାଲ୍ ପରେ…

ସିଡନୀ,୧୨।୧୧: ଅଷ୍ଟ୍ରେଲିଆର ଟେଷ୍ଟ କ୍ରିକେଟ୍ କ୍ୟାପଟେନ୍ ପାଟ୍ କମିନ୍ସଙ୍କୁ ତାଙ୍କ ପତ୍ନୀ ବେକିଙ୍କ ସହ ସିଡନୀର ଏକ ରାସ୍ତାରେ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଛି। ଉଭୟ ପତି-ପତ୍ନୀ କୌଣସି ଏକ ପ୍ରସଙ୍ଗରେ ତୀକ୍ଷ୍ଣ  ବାଦବିବାଦ କରୁଥିବା ନଜର ଆସିଛନ୍ତି। ଚର୍ଚ୍ଚା ହେଉଛି ଯେ, ଏହି ଝଗ୍‌ଡ଼ାର ମୁଖ୍ୟ କାରଣ କ୍ରିକେଟର ଉସ୍ମାନ ଖ୍ୱାଜାଙ୍କ ବଲ୍ ଟାମ୍ପରିଂ ସମ୍ବନ୍ଧୀୟ ଖୁଲାସା ସହିତ ଜଡ଼ିତ ହୋଇପାରେ। ଖ୍ୱାଜାଙ୍କ ଏହି ଅଭିଯୋଗ ପରେ ପାଟ୍ କମିନ୍ସ ଏବଂ ତାଙ୍କ ପତ୍ନୀ ପ୍ରଥମଥର ପାଇଁ ସର୍ବସାଧାରଣରେ ଏପରି ଭାବେ ନଜର ଆସିଛନ୍ତି।

ଗଣମାଧ୍ୟମ ସଂସ୍ଥା ‘ଦ ଆଷ୍ଟ୍ରେଲିଆନ୍’ ପାଟ୍ କମିନ୍ସ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ହୋଇଥିବା ଏହି ବାଦବିବାଦର ଭିଡିଓ ରେକର୍ଡ କରିଛି। ଏହି ଘଟଣା ସେତେବେଳେ ଘଟିଛି, ଯେତେବେଳେ କମିନ୍ସଙ୍କୁ ଇଂଲଣ୍ଡ ବିରୋଧୀ ହ୍ୱାଇଟ୍-ବଲ୍ ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି। ପାଟ୍ କମିନ୍ସ ଆଗାମୀ ମାସରେ ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯିବାକୁ ଥିବା ୪ଟି ଟେଷ୍ଟ ମ୍ୟାଚ୍‌ର ସିରିଜ୍‌ରେ ପୁଣି ମଇଦାନକୁ ଓହ୍ଲାଇବେ।

ନିକଟରେ ଉସ୍ମାନ ଖ୍ୱାଜା ଦାବି କରିଥିଲେ ଯେ, ୨୦୧୮ ମସିହାରେ ଦକ୍ଷିଣ ଆଫ୍ରିକା ବିରୋଧୀ ଟେଷ୍ଟ ସିରିଜ୍ ସମୟରେ ହୋଇଥିବା ବଲ୍ ଟାମ୍ପରିଂ ଷଡ଼ଯନ୍ତ୍ର ବିଷୟରେ ସମଗ୍ର ଅଷ୍ଟ୍ରେଲିଆଇ ଦଳ ଅବଗତ ଥିଲା। ଖ୍ୱାଜାଙ୍କ ଏହି ବୟାନକୁ ତାଙ୍କର ପୂର୍ବତନ ସାଥୀ ଡେଭିଡ୍ ୱାର୍ନର ମଧ୍ୟ ସମର୍ଥନ କରିଥିଲେ। ଖ୍ୱାଜା ନିଜର ଆତ୍ମଜୀବନୀ ‘ସବ୍ର’ରେ ମଧ୍ୟ ଏହି ଘଟଣାର ଉଲ୍ଲେଖ କରିଛନ୍ତି।

ଉସ୍ମାନ ଖ୍ୱାଜାଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗ ଉପରେ ପାଟ୍ କମିନ୍ସ ସାମ୍ବାଦିକମାନଙ୍କ ସହ ଆଲୋଚନା କରି କହିଥିଲେ ଯେ, ଏହା ଏକ ପୁରୁଣା କଥା, ଏହାର ପୂର୍ବରୁ ତଦନ୍ତ ହୋଇସାରିଛି ଏବଂ ଦଳ ଏବେ ଆଗକୁ ବଢ଼ିସାରିଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଖ୍ୱାଜା ନିଜର କାହାଣୀ କହିବାକୁ ସ୍ୱାଧୀନ। ଅନ୍ୟପକ୍ଷରେ, ଉସ୍ମାନ ଖ୍ୱାଜା ଗତ ନଭେମ୍ବର ୧୧ ତାରିଖରେ ନିଜ ବହି ସହିତ ଜଡ଼ିତ ସମସ୍ତ ଗଣମାଧ୍ୟମ କାର୍ଯ୍ୟକ୍ରମକୁ ରଦ୍ଦ କରିଦେଇଛନ୍ତି। ଏବିସିର ଏକ କାର୍ଯ୍ୟକ୍ରମରେ ତାଙ୍କୁ ଏହି ବିଷୟରେ ପ୍ରଶ୍ନ କରାଯିବାରୁ ସେ ଏହା ଉପରେ ଅଧିକ କିଛି କହିବାକୁ ମନା କରିଦେଇଥିଲେ।

Dharitri – Odisha’s No.1 Odia Daily

Share