୪୦ ଡିଗ୍ରୀ ଉପରେ ୧୪ ସହର, ଆହୁରି ସପ୍ତାହେ ଶିଝିବ ଓଡ଼ିଶା

ଭୁବନେଶ୍ୱର,୨୦ା୪ (ବନ୍ଦନା ସେଠୀ): ପ୍ରବଳ ଗ୍ରୀଷ୍ମତାପରେ ଶିଝୁଛି ଓଡ଼ିଶା। ଗରମ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବାବେଳେ ରବିବାର ମଧ୍ୟ ଅଧା ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ଏହିଭଳି ସ୍ଥିତି ଲାଗି ରହିବ ଓ ତାତିରୁ ନିସ୍ତାର ମିଳିବ ନାହିଁ। ବିଶେଷକରି ପଶ୍ଚିମ ଓଡ଼ିଶାର ଝାରସୁଗୁଡା, ଟିଟିଲାଗଡ, ନୂଆପଡା, ବଲାଙ୍ଗୀର ଓ ଭବାନୀପାଟଣା ଅଧିକ ପ୍ରଭାବିତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ଗତ ୨୪ଘଣ୍ଟାରେ ରାଜ୍ୟର ୧୪ଟି ଅଞ୍ଚଳର ତାପମାତ୍ରା ୪୦ ଡିଗ୍ରୀ ଓ ଏହାଠାରୁ ଅଧିକ ରହିଥିଲା। ସର୍ବାଧିକ ତାପମାତ୍ରା ୪୩.୩ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା। ସେହିପରି ଟିଟିଲାଗଡ଼ରେ ୪୩ ଡିଗ୍ରୀ, ସୋନପୁର ୪୨.୩, ସମ୍ବଲପୁର ଓ ଭବାନୀପାଟଣା ୪୨, ସୁନ୍ଦରଗଡ଼, ବଲାଙ୍ଗୀର ଓ ରାଉରକେଲା ୪୧.୫, ଅନୁଗୋଳ ୪୧.୧, ହୀରାକୁଦ ଓ ନୂଆପଡ଼ା ୪୧, ବୌଦ୍ଧ ୪୦.୯, ଫୁଲବାଣୀ ଓ ତାଳଚେରରେ ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଅପରପକ୍ଷେ ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଓ ପବନ ବହିବା ନେଇ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ସୋମବାର ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ କନ୍ଧମାଳ ଜିଲାରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଏଥିସହ ୩୦ରୁ ୪୦ କିି.ମି. ବେଗରେ ପବନ ବହିବା ନେଇ ଆକଳନ କରାଯାଇଛି।

 

Dharitri – Odisha’s No.1 Odia Daily