Categories: ଜାତୀୟ

ବର୍ଷୁଛି ନିଆଁ: ୟୁପିରେ ୪୭, ଦିଲ୍ଲୀରେ ୪୬ ଡିଗ୍ରୀ ଡେଇଁଲା ପାରଦ

ନୂଆଦିଲ୍ଲୀ/ପାଟନା,୩୦।୪: ଗତ କିଛି ଦିନରୁ ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଭୀଷଣ ଗରମ ଓ ହିଟ୍‌ଓ୍ବେଭ୍‌ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାତର କିଛି ଦିନରୁ ଦେଶର ତାପମାତ୍ରା ରେକର୍ଡ ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ଅନେକ ରାଜ୍ୟର ତାପାମାତ୍ରା ବର୍ତ୍ତମାନ ପାଖାପାଖି ୪୬ଡିଗ୍ରୀକୁ ଛୁଇଁଲାଣି। ଯଦି ରାଜଧାନୀ ଦିଲ୍ଲୀ କଥା କୁହାଯାଏ, ତେବେ ଶୁକ୍ରବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସର୍ବାଧିକ ୪୩.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରିଛି। ଏହାପୂର୍ବରୁ ଏପ୍ରିଲ ୧୮, ୨୦୧୦ରେ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୪୩.୭ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା। ଅନ୍ୟପଟେ ଶୁକ୍ରବାର ଉତ୍ତରପ୍ରଦେଶର ବାନ୍ଦାରେ ତାପମାତ୍ରା ୪୭.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରିଛି। ଯାହା ଏପ୍ରିଲ ମାସର ସର୍ବୋଚ୍ଚ ତାପମାତ୍ରା ବୋଲି କୁହାଯାଉଛି। ଦେଶର ଅନେକ ବଡ ରାଜ୍ୟରେ ପାରଦ ବର୍ତ୍ତମାନ ୪୬ ଡିଗ୍ରୀ ଅତିକ୍ରମ କରିଥିବା ସୂଚନା ରହିଛି। ଉତ୍ତରପ୍ରଦେଶର ପ୍ରୟାଗରାଜ ଏବଂ ଝାନ୍ସିରେ ତାପମାତ୍ରା ଯଥାକ୍ରମେ ୪୬.୮ ଏବଂ ୪୬.୨ ରେକର୍ଡ କରାଯାଇଛି। ଦିଲ୍ଲୀର ସ୍ପୋର୍ଟସ କମ୍ପ୍ଲେକ୍ସରେ ପାରଦ ୪୬.୪ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚିଛି। ଅନ୍ୟପଟେ ରାଜସ୍ଥାନର ଗଙ୍ଗନଗର, ମଧ୍ୟପ୍ରଦେଶର ନଉଗଙ୍ଗ ଏବଂ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ପାରଦ ଯଥାକ୍ରମେ ୪୬.୪, ୪୬.୨ ଏବଂ ୪୬.୪ ଡିଗ୍ରୀ ସେଲ୍‌ସିୟସ ଛୁଇଁଛି। ଗୁରୁଗ୍ରାମରେ ଏହି ମାସର ସର୍ବୋଚ୍ଚ ତାପମାତ୍ରା ୪୫.୯ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଉତ୍ତର ପଶ୍ଚିମ ଏବଂ ମଧ୍ୟ ଭାରତରେ ମେ’ ୨ ପର୍ଯ୍ୟନ୍ତ ଏବଂ ପୂର୍ବ ଭାରତରେ ଏପ୍ରିଲ ୩୦ପର୍ଯ୍ୟନ୍ତ ଲୁ’ ଜାରି ରହିବ। ତେବେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଶନିବାର ଆଇଏମଡି ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

Share