ହୃଦ୍‌ରୋଗ ଓ ଖାଦ୍ୟ

ଆଜିକାଲି ହୃଦ୍‌ରୋଗ ଏକ ସାଧାରଣ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ୍‌ ହେବ ନାହିଁ। ଅସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ, ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହେଲେ ତାହା ହୃଦ୍‌ରୋଗର କାରଣ ସାଜିଥାଏ। ଯଦି ଏହି ସ୍ବାସ୍ଥ୍ୟ ସମସ୍ୟାର ଠିକ୍‌ ସମୟରେ ସମାଧାନ କରା ନ ଯାଏ, ତେବେ ତାହା ଗୁରୁତର ଆକାର ଧାରଣ କରିବା ସହ ଅକାଳ ମୃତ୍ୟୁକୁ ଡାକି ଆଣିଥାଏ। ତେବେ ଏପରି କେତେକ ଖାଦ୍ୟ ଅଛି ଯାହାକୁ ଆମେ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲକଲେ ତାହା ହୃଦ୍‌ରୋଗ ଆଶଙ୍କାକୁ କେତେକାଂଶରେ ଦୂରେଇ ଦେବାରେ ସମର୍ଥ ହେବ। ପ୍ରତିଦିନ ପ୍ରଚୁର ପରିମାଣରେ ତଟକା ପନିପରିବା, ଫଳମୂଳ ଏବଂ ଶାଗ ଖାଆନ୍ତୁ। ଖାଦ୍ୟ ତାଲିକାରେ ମାଛ ସାମିଲ କରିପାରନ୍ତି। କିନ୍ତୁ କେତେକ ଖାଦ୍ୟ ପ୍ରତି ସତର୍କ ରହିବାକୁ ପଡ଼ିଥାଏ। ଲହୁଣୀ, ଘିଅ, କୁକୁଡା ମାଂସ, ଚର୍ବି ଲାଗିଥିବା ଛେଳି ମାଂସ ଯେତେ କମ୍‌ ଖାଇବେ ତାହା ସେତେ ଭଲ। ଭିଟାମିନ୍‌ ‘ସି’ ଏବଂ ‘ଇ’ଜାତୀୟ ଖାଦ୍ୟ ହୃଦ୍‌ରୋଗଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ।