‘କେହି ଦୁଃଖ ଶୁଣିଲେନି’

ଆନନ୍ଦପୁର,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମଙ୍ଗଳବାର ଜଣେ ଦିବ୍ୟାଙ୍ଗ ନ୍ୟାୟ ପାଇଁ ଧାରଣା ଦେଇଥିଲେ। ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ହେଉଛନ୍ତି ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ବେତିରା ଗ୍ରାମର ଉମାକାନ୍ତ ପଣ୍ଡା। ନ୍ୟାୟ ପାଇଁ ଜିଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅବେଦନ କରି ନିରାଶ ହେବା ପରେ ଶେଷରେ ବାଧ୍ୟହୋଇ ଧାରଣା ଦେଇଥିବା ସେ ପ୍ରକାଶ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ସେ ଜନ୍ମରୁ ପୋଲିଓ ଆକ୍ରାନ୍ତ ହୋଇ ମଧ୍ୟ ନିଜ ପରିବାରର ଭରଣ ପୋଷଣ ପାଇଁ ରୋଜଗାର କରିଆସୁଥିଲେ। ହେଲେ ୪ ବର୍ଷ ହେଲା ମେରୁଦଣ୍ଡରେ ସମସ୍ୟା ବାହାରିବାରୁ ସେ ଆଉ ପୂର୍ବଭଳି ରୋଜଗାର କରିପାରିଲେନି। ରୋଜଗାର ଥିବା ଯାଏ ସମସ୍ତେ ପଚାରୁଥିଲେ। ହେଲେ ରୋଜଗାର କରି ନ ପାରିବାରୁ ପରିବାରବର୍ଗ ଆଉ ତାଙ୍କୁ ପଚାରିଲେ ନାହିଁି କି ନିଜ ପୈତୃକ ଘରେ ରହିବାକୁ ସୁଯୋଗ ବି ଦେଉନାହାନ୍ତି। ଏପରିକି ନିଜ ଭାଇ ଚଞ୍ଚକତା କରି ପୈତୃକ ସମ୍ପତ୍ତିକୁ ମାଡ଼ି ବସିଛନ୍ତି। ବାହାଘର ପରେ ଶ୍ୱଶୁର ଘରେ ରହି ଆସୁଥିଲେ। ରୋଜଗାର ହରାଇବା ପରେ ସେମାନେ ବି ତାଙ୍କୁ ତଡ଼ି ଦେଇଛନ୍ତି। ସରକାରଙ୍କ ପକ୍ଷରୁ ମିଳୁଥିବା ଭତ୍ତା ଓ ଟ୍ରାଇସାଇକେଲ ତାଙ୍କର ସାହାରା ପାଲଟିଛି। ଏହାବ୍ୟତୀତ ଏଣେତେଣେ ଚଲାବୁଲା କରିବା ସମୟରେ ଯିଏ ଯାହା ଗଣ୍ଡେ ଦେଲେ ତାହା ତାଙ୍କ ପେଟର ଭୋକ ମେଣ୍ଟାଉଛି। ମୁଣ୍ଡ ଗୁଞ୍ଜିବା ପାଇଁ ଛାତଟିଏ ଓ କୌଣସି ଏକ ରୋଜଗାରର ପନ୍ଥା ପାଇଁ ପ୍ରଶାସନିକସ୍ତରରେ ଗୁହାରି କରିଥିଲେ ହେଁ କେହି ଦୁଃଖ ଶୁଣିଲେନି। ପୂର୍ବାହ୍ନରୁ ଅପରାହ୍ନ ୫ଟା ଯାଏ ସେ ଧାରଣା ଦେଇଥିଲେ। ଉପଜିଲାପାଳ ଅନିଲ କୁମାର ସେଠୀ ତାଙ୍କ ଅଭିଯୋଗପତ୍ର ଗ୍ରହଣ କରି ପରିବାର ଲୋକଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେ ଧାରଣାରୁ ଉଠିଥିଲେ।