ଗଞ୍ଜାମରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ: ଅଞ୍ଚଳରେ ୫ ଦିନ ଶଟ୍‌ଡାଉନ

ଛତ୍ରପୁର,୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ମୁକାବିଲା ପାଇଁ ଗୁରୁବାରଠାରୁ ସମସ୍ତ ସହରାଞ୍ଚଳ, ୫ ବ୍ଲକ ହେଡକ୍ୱାର୍ଟରରେ ଘରକୁ ଘର ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ ହୋଇଛି। ସ୍କ୍ରିନିଂ ପାଇଁ ଉକ୍ତ ଅଞ୍ଚଳରେ ୫ ଦିନ ଶଟ୍‌ଡାଉନ କରାଯାଇଛି । ଏସମ୍ପର୍କରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଟୁଇଟ କରି ସୂଚନା ଦେଇଛନ୍ତି। ଏଥିପାଇଁ ୨୦୦ଟି ସ୍କ୍ରିନିଂ ଟିମ୍‌ ଗଠନ ହୋଇଛି। ଉକ୍ତ ଟିମ ଥର୍ମାଲ, ପଲସ ଅକ୍ସିମିଟର (ଅକ୍ସିଜେନ ଓ ପଲସ ) ନେଇ ଘରକୁ ଘର ବୁଲି ପରିବାର ସମସ୍ତ ସଦସ୍ୟଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି। ଟିମକୁ ସହଯୋଗ କରିବାକୁ ଜିଲାପାଳ କହିଛନ୍ତି। ସ୍କ୍ରିନିଂ ସମୟରେ କରୋନା ଲକ୍ଷଣ ଦେଖାଯାଉଥିବା ଲୋକେ ଚିହ୍ନଟ ହୋଇପାରିବେ। ପରେ ସେମାନଙ୍କ ଚିକିତ୍ସା କରାଯାଇପାରିବ ବୋଲି କୁହାଯାଇଛି। ୭ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ ହେବ ବୋଲି ସୂଚନା ଦିଆଯାଇଛି।