ବଲାଙ୍ଗୀର, ୧୬।୫ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକର ବୁଢ଼ୀସିଣ୍ଡୋଲ ଗାଁର ଡାଙ୍ଗଗୋଠ ଠାରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତିନିଜଣ ବ୍ୟକ୍ତିଙ୍କ ଘର ପୋଡ଼ିଯାଇଥିଲା। ଏହି ଖବର ପାଇବା ପରେ ଶୁକ୍ରବାର ସ୍ଥାନୀୟ ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବୁଢ଼ୀସିଣ୍ଡୋଲ ଗାଁକୁ ଯାଇ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତଙ୍କୁ ଭେଟିଥିଲେ। ସଟ ସର୍କିଟ ଯୋଗୁ ଘଟିଥିବା ଅଗ୍ନିକାଣ୍ଡରେ ଗାଁର ଭାଗିରଥି ଡାଙ୍ଗ, ଚନ୍ଦ୍ରଶେଖର ଡାଙ୍ଗ ଓ ବଶିଷ୍ଠ ଡାଙ୍ଗଙ୍କ ଘର ସଂପୂର୍ଣ୍ଣ ପୋଡ଼ିଯାଇଛି। ମନ୍ତ୍ରୀ ଡ. ମହାଲିଙ୍ଗ ସମସ୍ତ କ୍ଷତିଗ୍ରସ୍ତଙ୍କୁ ଭେଟି ସେମାନଙ୍କୁ ସମବେଦନା ଜଣାଇବା ସହ ପୀଡିତ ପରିବାରଙ୍କୁ ଶୁଖିଲା ଖାଦ୍ୟ, ବସ୍ତ୍ର ଓ ଆବଶ୍ୟକୀୟ ସାମଗ୍ରୀ ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହାସହ କ୍ଷତିଗ୍ରସ୍ତ ପରିବାରବର୍ଗଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ବାସଗୃହ ଏବଂ ରେଡକ୍ରସ ପାଣ୍ଠିରୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ ପାଇଁ ପୁଇଁନ୍ତଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ କାର୍ଯ୍ୟ ତଦାରଖ ପାଇଁ ନିଜ ବ୍ଲକ ପ୍ରତିନିଧି ଅଜିତ କୁମାର ପଣ୍ଡାଙ୍କୁ ଦାୟିତ୍ୱ ଦେଇଥିଲେ। ଅଗ୍ନିକାଣ୍ଡ ସଂପର୍କରେ ଗୁରୁବାର ଖବର ପାଇବା ପରେ ଭୁବନେଶ୍ବରରୁ ମନ୍ତ୍ରୀ ମହାଲିଙ୍ଗ ପୀଡିତ ପରିବାରବର୍ଗଙ୍କ ସହ ଆଲୋଚନା କରିବା ସହ ଶୁକ୍ରବାର ବୁଢ଼ୀସିଣ୍ଡୋଲ ଯାଇ ସେମାନଙ୍କୁ ଭେଟିଥିଲେ।