ବର୍ଦ୍ଧିତ କରୋନା ମାମଲାକୁ ନେଇ ଆଲର୍ଟରେ କେନ୍ଦ୍ର ସରକାର: ଶୁକ୍ରବାର ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମନସୁଖ ମାଣ୍ଡଭିଆ

ନୂଆଦିଲ୍ଲୀ,୬।୪: ଦେଶର ଅନେକ ରାଜ୍ୟରେ କୋଭିଡ-୧୯ର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଧ୍ୟ ଆଲର୍ଟ ମୋଡରେ ଆସିଯାଇଛନ୍ତି। କୋଭିଡ-୧୯ର ସ୍ଥିତିର ଆକଳନ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆ ଶୁକ୍ରବାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକ କରିବେ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ-୧୯ ସ୍ଥିତିକୁ ନେଇ ଆଲୋଚନା କରିବେ। ସ୍ବାସ୍ଥ୍ୟ ବିଭାଗର ଅଧିକାରୀ, ନୀତି ଆୟୋଗ, ଏନ୍‌ଟିଏଜିଆଇ ମଧ୍ୟ ଏହି ଭର୍ଚୁଆଲ ବୈଠକରେ ସାମିଲ ହେବେ। କୋଭିଡ-୧୯ ସ୍ଥିତିକୁ ନେଇ ମନସୁଖ ମାଣ୍ଡଭିଆ କହିଛନ୍ତି, ଆମକୁ ସତର୍କ ରହିବା ଜରୁରୀ, କିନ୍ତୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ବର୍ତ୍ତମାନ ଦେଶରେ ଓମିକ୍ରନର ସବ୍‌-ଭାରିଆଣ୍ଟ ସଂକ୍ରମଣ ସଂକ୍ରମିତ କରୁଥିବା ବେଳେ ହସ୍ପିଟାଲରେ ଭର୍ତ୍ତି ହେବା ଏହି ରୋଗୀଙ୍କ ସଂଖ୍ୟା ଖୁବ୍‌ କମ୍‌। ସୂଚନା ମୁତାବକ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫,୩୩୫ ନୂତନ ମାମଲା ରେକର୍ଡ ହୋଇଛି। ଯାହା ବୁଧବାର ରିପୋର୍ଟ ହୋଇଥିବା ମାମଲା ତୁଳନାରେ ପ୍ରାୟ ୨୦ ପ୍ରତିଶତ ଅଧିକ। ଗତ ୧୯୫ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ଦୈନିକ ମାମଲା। ଏହାପୂର୍ବରୁ ଗତ ବର୍ଷ ସେପ୍ଟେମ୍ବର ୨୩ରେ ୫,୩୮୩ କରୋନା ମାମଲା ସାମ୍ନାକୁ ଆସିଥିଲା।

Share