ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ୍‌ ନିୟମ ଉଲ୍ଲଂଘନ ପ୍ରସଙ୍ଗ: ପୂଜା କମିଟିକୁ ଜରିମାନା

ଝାରସୁଗୁଡ଼ା ଅଫିସ,୧୮ା୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହାକୁ କେହି ଖିଲାପ କଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ରହିଛି। ହେଲେ ଝାରସୁଗୁଡା ଜିଲା ଲଇକେରା ବ୍ଲକ୍‌ ମୟୁରଡିମା ଗ୍ରାମରେ ଗତ ଶନିବାର ଏହି ନିୟମର ଖୋଲା ଉଲ୍ଲଂଘନ ହୋଇଥିଲା। ଏଠାରେ ଆଦିବାସୀଙ୍କ ଆରାଧ୍ୟ ଦେବତା ଜଙ୍ଘା ବଡଦେଓଙ୍କ ପୂଜା ଚାଲିଥିଲା  ।  ଏହି ପୂଜାରେ ଖୋଦ୍‌ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କୋଭିଡ୍‌ ନିୟମ ଉଲ୍ଲଂଘନ କରି ଶତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ଠାକୁରଙ୍କ ବିଗ୍ରହକୁ କାନ୍ଧରେ ବୋହି ନୃତ୍ୟ କରିଥିଲେ  । ଏ ସମ୍ପର୍କରେ ଜିଲା ପ୍ରଶାସନ ଓ ପୋଲିସକୁ ଖବରଦାତାମାନେ ପଚାରିଥିଲେ ମଧ୍ୟ ସେମାନେ ଜାଣି ନ ଥିବା ସଫେଇ ଦେଇଥିଲେ। ଏହି ଖବରଟି ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାର ହୋଇଥିଲା। ପରେ ପ୍ରଶାସନ ଓ ପୋଲିସ ମିଳିତଭାବେ ଗ୍ରାମର ଜଙ୍ଘା ବଡଦେଓ କମିଟିକୁ ୧୦ହଜାର ଟଙ୍କା ଜରିମାନା କରିଛନ୍ତି। ହେଲେ ମନ୍ତ୍ରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହୋଇ କମିଟିକୁ ଜରିମାନା କରାଯାଇଛି ବୋଲି ଜିଲାର ବୁଦ୍ଧିଜୀବୀ ଆଲୋଚନା କରୁଛନ୍ତି।